ଏପ୍ରିଲ ୨ ତାରିଖରୁ ଓଡିଶା ଦେଇ ଗଡିବ ୨ଟି ନୂଆ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍
ଭୁବନେଶ୍ୱର (ସଂକେତ ଟିଭି): ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ଦୁଇଟି ନୂଆ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଗଡ଼ିବ। ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ଗୁରୁବାର ଓ ସୋମବାର ଦିନ ସାନ୍ତ୍ରାଗାଚ୍ଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ଏବଂ ଶାଲିମାର–ଏମଜିଆର ଚେନ୍ନାଇ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବା ନେଇ ନିଷ୍ପତି ହୋଇଛି।
ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଚ୍ଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ଟ୍ରେନ୍ ଏପ୍ରିଲ ୨ ତାରିଖରୁ ପ୍ରତି ଗୁରୁବାର ଦିନ ୧୨:୫୦ ରେ ସାନ୍ତ୍ରାଗାଚ୍ଛିରୁ ଛାଡ଼ିବ ଏବଂ ଶନିବାର ଦିନ ରାତି ୧୨:୨୦ରେ ୟାଲାହାଙ୍କାରେ ପହଞ୍ଚିବ। ସେହିପରି ଭାବରେ ଫେରିବା ଦିଗରେ ଟ୍ରେନ୍ ନମ୍ବର ୧୮୦୬୪ ୟାଲାହାଙ୍କା – ସାନ୍ତ୍ରାଗାଚ୍ଛି ଏସି ଏକ୍ସପ୍ରେସ୍ ୪ ଏପ୍ରିଲ ୨୦୨୬ ଠାରୁ ପ୍ରତି ଶନିବାର ୟାଲାହାଙ୍କାରୁ ଭୋର ୦୪:୫୦ ରେ ଛାଡ଼ିବ ଏବଂ ରବିବାର ସନ୍ଧ୍ୟା ୫ ଟାରେ ସାନ୍ତ୍ରାଗାଚ୍ଛିରେ ପହଞ୍ଚିବ।
ଟ୍ରେନର ଯାତ୍ରା ସମୟରେ ଟ୍ରେନଟି ପୂର୍ବତଟ ରେଳପଥ ମଧ୍ୟ ଦେଇ ଯାତ୍ରା କରିବ। ତେବେ ଏହି ଯାତ୍ରା ସମୟରେ ପ୍ରମୁଖ ଷ୍ଟେସନ ଗୁଡ଼ିକ ହେଉଛି ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲସା, ପେଣ୍ଡୁର୍ଟି ଏବଂ ଦୁଭାଡା ଆଦି ଷ୍ଟେସନରେ ରହଣି କରିବ।
ସେହିଭଳି ଭାବରେ ଦ୍ୱିତୀୟ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର ୧୮୦୪୧ ଶାଲିମାର–ଏମଜିଆର ଚେନ୍ନାଇ ଏକ୍ସପ୍ରେସ୍ ଏପ୍ରିଲ ୬ ତାରିଖରୁ ପ୍ରତି ସୋମବାର ଅପରାହ୍ନ ୨:୪୫ରେ ଶାଲିମାରରୁ ଛାଡ଼ିବ ଏବଂ ମଙ୍ଗଳବାର ସନ୍ଧ୍ୟା ୬:୪୫ ରେ ଏମଜିଆର ଚେନ୍ନାଇରେ ପହଞ୍ଚିବ। ଫେରିବା ଦିଗରେ ଟ୍ରେନ୍ ନମ୍ବର ୧୮୦୪୨ ଏମଜିଆର ଚେନ୍ନାଇ -ଶାଲିମାର ଏକ୍ସପ୍ରେସ୍ ଏପ୍ରିଲ ୭ ତାରିଖରୁ ପ୍ରତି ମଙ୍ଗଳବାର ସନ୍ଧ୍ୟା ୬:୪୫ ରେ ଏମଜିଆର ଚେନ୍ନାଇରୁ ଛାଡ଼ିବ ଏବଂ ଗୁରୁବାର ଭୋର ୪:୦୦ ରେ ଶାଲିମାରରେ ପହଞ୍ଚିବ।
ତେବେ ଯାତ୍ରା ସମୟରେ ଟ୍ରେନଟି ପୂର୍ବତଟ ରେଳବାଇ ମଧ୍ୟ ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଗତି କରିବ। ଯେପରିକି ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବିଜୟନଗରମ୍ ଏବଂ ଦୁଭାଡା ଆଦି ଷ୍ଟେସନରେ ରହଣି ରହିଛି।
ଏହି ନୂତନ ସେବା ଗୁଡ଼ିକ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ମଧ୍ୟରେ ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ବିକଳ୍ପ ଏବଂ ଅଧିକ ସୁବିଧା ପ୍ରଦାନ କରିବ।
