ନବୀନଙ୍କୁ ଭେଟିଲେ ଯାଜପୁର ଜିଲ୍ଲା ବିଜେଡି ବିଧାୟକ ଓ ନେତୃବୃନ୍ଦ
ଭୁବନେଶ୍ୱର (ସଂକେତ ଟିଭି): ଯାଜପୁର ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)ର ବିଧାୟକ, ବିଭିନ୍ନ ସ୍ତରର ଦଳୀୟ କର୍ମକର୍ତ୍ତା ଆଜି ପୂର୍ବାହ୍ନରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ଜିଲ୍ଲାର ପରିବର୍ତ୍ତିତ ରାଜନୈତିକ ସ୍ଥିତି, ସାଂଗଠନିକ କାର୍ଯ୍ୟକ୍ରମ ଓ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଦଳୀୟ ସୂତ୍ରରୁ ପ୍ରକାଶିତ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲାର ବିକାଶ କାର୍ଯ୍ୟରେ ସ୍ଥାଣୁତା ଦେଖା ଦେଇଛି। ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଂକୁଚିତ କରିଦେଇଥିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିଛି ଏବଂ ଜନସାଧାରଣ, ବିଶେଷକରି ମାମାନେ ଅସୁରକ୍ଷିତ ହୋଇପଡ଼ିଥିବା କଥା ଦଳର କର୍ମକର୍ତ୍ତା ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ। ଏଥିରେ ଶ୍ରୀ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଲୋକଙ୍କ ସେବା ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଦଳର ସାଂଗଠନିକ ସ୍ଥିତିକୁ କିପରି ଆହୁରି ମଜଭୂତ କରାଯାଇପାରିବ ସେ ସମ୍ପର୍କରେ ସେ ନିଜର ରଣନୈତିକ ମତ ରଖିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ କ୍ୟାପଟେନ ଏସ୍.କେ. ମହାପାତ୍ର ପ୍ରମୁଖ ବିଜେଡି ସଭାପତିଙ୍କୁ ଭେଟି ଆଲୋଚନା କରିଥିଲେ।
