ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ସହ ଜଡ଼ିତ ବିଭିନ୍ନ ଠିକଣା ଉପରେ ଚଢ଼ାଉ କଲା ଇଡି
ଚଣ୍ଡିଗଡ (ସଂକେତ ଟିଭି): ଆମ୍ ଆଦମୀ ପାର୍ଟି (ଆପ୍)ର ସାଂସଦ ତଥା ପ୍ରସିଦ୍ଧ ଶିକ୍ଷାବିତ୍ ଅଶୋକ ମିତ୍ତଲଙ୍କ ସହ ଜଡ଼ିତ ବିଭିନ୍ନ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ସକାଳୁ ଚଢ଼ାଉ କରିଛି। ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ପ୍ରସିଦ୍ଧ ‘ଲଭଲି ପ୍ରୋଫେସନାଲ ୟୁନିଭର୍ସିଟି’ (ଏଲପିଇୁ) ସମେତ ଏକାଧିକ ସ୍ଥାନରେ ଏହି ରେଡ୍ ଚାଲିଛି। ସୂଚନାଯୋଗ୍ୟ ଯେ, ୬୧ ବର୍ଷୀୟ ଅଶୋକ ମିତ୍ତଲ ନିକଟରେ ରାଘବ ଚଢ଼ାଙ୍କ ସ୍ଥାନରେ ରାଜ୍ୟସଭାରେ ଆପ୍ର ଉପନେତା ଭାବେ ନିଯୁକ୍ତ ହୋଇଥିଲେ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଳନ୍ଧର, ଫଗୱାଡ଼ା ଏବଂ ଗୁରୁଗ୍ରାମ ସମେତ ମୋଟ ୮ରୁ ୯ଟି ସ୍ଥାନରେ ଇଡି ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ରେଡ୍ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ମିତ୍ତଲ ଏବଂ ତାଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନ, ବାସଭବନ ଏବଂ ଫାର୍ମହାଉସ୍ ସାମିଲ ରହିଛି। ତାଙ୍କ ପୁଅ ତଥା ଭାଇ ରମେଶ ମିତ୍ତଲ ଏବଂ ନରେଶ ମିତ୍ତଲଙ୍କ ସହ ଜଡ଼ିତ ଠିକଣାରେ ମଧ୍ୟ ଏକକାଳୀନ ଯାଞ୍ଚ କରାଯାଉଛି।
‘ଲଭଲି ଗ୍ରୁପ୍’ର ପ୍ରମୁଖ ସଂସ୍ଥା ଯେପରିକି- ଲଭଲି ପ୍ରୋଫେସନାଲ ୟୁନିଭର୍ସିଟି, ଲଭଲି ଅଟୋସ୍, ଲଭଲି ସୁଇଟ୍ସ ଏବଂ ଲଭଲି ଡିଷ୍ଟାନ୍ସ ଏଜୁକେସନ୍ ସେଣ୍ଟର ଇଡିର ଟାର୍ଗେଟରେ ରହିଛି। ଜଳନ୍ଧର ସ୍ଥିତ ଏଲପିଇୁ (LPU) କ୍ୟାମ୍ପସରେ ଇଡି ଅଧିକାରୀମାନେ ବିଭିନ୍ନ ଆର୍ଥିକ କାରବାର ଏବଂ କାଗଜପତ୍ରର ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଆର୍ଥିକ କାରବାର ଓ ପାଣ୍ଠି ସ୍ଥାନାନ୍ତରରେ ବ୍ୟାପକ ଅନିୟମିତତା ନେଇ ଫେମା (FEMA) ଆଇନ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇଡିର ଏହି ରେଡ୍ ପରେ ଆମ୍ ଆଦମୀ ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିର୍ବାଚନ ପୂର୍ବରୁ ବିରୋଧୀ ନେତାଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ଦଳ ଅଭିଯୋଗ କରିଛି। ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି “ପଞ୍ଜାବ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି” ଏବଂ ରାଜ୍ୟର ଭୋଟରମାନେ ଏହାର କଡ଼ା ଜବାବ ଦେବେ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ଚଢ଼ାଉକୁ ଦୃଢ଼ ନିନ୍ଦା କରି ଏକ୍ସ (X) ରେ ଲେଖିଛନ୍ତି, “ବିଜେପି ପଞ୍ଜାବ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲା। ନିଜର ଚିରାଚରିତ ମୋଦୀ ଷ୍ଟାଇଲ୍ରେ ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ଘର ଓ ବିଶ୍ୱବିଦ୍ୟାଳୟରେ ଇଡି ଚଢ଼ାଉ କରୁଛି।” ଦଳର ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ସିଂହ ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ବିଜେପିକୁ କୌଣସି ରାଜନୈତିକ ଫାଇଦା ଦେବନାହିଁ।
ପଞ୍ଜାବର ଆପ୍ ସଭାପତି ଅମନ ଆରୋରା ଏହି ରେଡ୍କୁ ରାଜ୍ୟସଭାରେ ରାଘବ ଚଢ଼ାଙ୍କ ବଦଳରେ ଅଶୋକ ମିତ୍ତଲଙ୍କୁ ଉପନେତା ଦାୟିତ୍ୱ ମିଳିବା ସହ ଯୋଡ଼ିଛନ୍ତି। ସେ କହିଛନ୍ତି, “ଯିଏ ବି ବିଜେପି ବିରୋଧରେ ଛିଡ଼ା ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯିବ। କିନ୍ତୁ ଆପ୍ ନେତାଙ୍କ ବିରୋଧରେ ହୋଇଥିବା ପୂର୍ବ ମାମଲାଗୁଡ଼ିକ ଭଳି ଏହି ଫେମା ଅଭିଯୋଗ ମଧ୍ୟ ତିଷ୍ଠି ପାରିବ ନାହିଁ ଏବଂ ଭୁଶୁଡ଼ି ପଡ଼ିବ।”
