ଓଡ଼ିଶାରେ OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ରାଜ୍ୟ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଜନସାଧାରଣଙ୍କ ଅଭିମୁଖୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। OAS (ଗ୍ରୁପ୍-ଏ ଜୁନିଅର ଗ୍ରେଡ୍) ଏବଂ ORS ଅଧିକାରୀଙ୍କ ପାଇଁ ଏକ ନୂଆ ବଦଳି ନୀତି ଘୋଷଣା କରାଯାଇଛି। ବଦଳି ପାଇଁ କାମ କରିବନି ପାର୍ଟି ନେତାଙ୍କ ଚିଠି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ନିୟମରେ ସ୍ପଷ୍ଟ ହୋଇଛି ଯେ, ଅଧିକାରୀମାନେ ଜଣେ ଜଣେ ଜନସେବକ। ଏଣିକି ବ୍ୟକ୍ତିଗତ ଅନୁରୋଧ କିମ୍ବା ପତିଆରା ବଦଳି କ୍ଷେତ୍ରରେ କାମ କରିବ ନାହିଁ।
ପ୍ରଥମ ୬ ବର୍ଷ ଗାଁ ଗହଳିରେ କାମ କରିବାକୁ ପଡ଼ିବ। ପ୍ରତ୍ୟେକ ଅଧିକାରୀଙ୍କୁ ସେମାନଙ୍କ ଚାକିରିର ପ୍ରଥମ ୬ ବର୍ଷ ଫିଲ୍ଡରେ କାମ କରିବାକୁ ପଡ଼ିବ, ଯାହାଫଳରେ ସେମାନେ ତୃଣମୂଳ ସ୍ତରର ସମସ୍ୟା ବୁଝିପାରିବେ। ପ୍ରଥମ ପୋଷ୍ଟିଂ ସମୟରେ KBK ଜିଲ୍ଲା, ଗଜପତି, କନ୍ଧମାଳ ଏବଂ ଅନ୍ୟାନ୍ୟ ଅନୁସୂଚିତ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ।
ବଦଳି ପାଇଁ କୌଣସି ପ୍ରକାରର ସୁପାରିଶ କରାଯାଇପାରିବ ନାହିଁ। ଏମିତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ବଦଳି ପ୍ରତିବର୍ଷ କେବଳ ଏପ୍ରିଲ ୧୫ ରୁ ଜୁନ୍ ୧୫ ମଧ୍ୟରେ କରାଯିବ। ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ସାଧାରଣତଃ ଅତିକମରେ ୨ ବର୍ଷ ଏବଂ ସର୍ବାଧିକ ୩ ବର୍ଷ ରହିବେ।
ଜଣେ ଅଧିକାରୀ ଗୋଟିଏ ଜିଲ୍ଲାରେ ଲଗାତାର ୬ ବର୍ଷରୁ ଅଧିକ କିମ୍ବା ସମଗ୍ର ଚାକିରି କାଳ ମଧ୍ୟରେ ୧୦ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। କୌଣସି ଅଧିକାରୀଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ପୋଷ୍ଟିଂ ମିଳିବ ନାହିଁ।
ବଦଳି ନିର୍ଦ୍ଦେଶ ମିଳିବାର ୭ ଦିନ ମଧ୍ୟରେ ଅଧିକାରୀଙ୍କୁ ପୁରୁଣା ଦାୟିତ୍ୱ ଛାଡ଼ିବାକୁ ହେବ। ପରବର୍ତ୍ତୀ ୭ ଦିନ ମଧ୍ୟରେ ନୂଆ ସ୍ଥାନରେ ଯୋଗ ଦେବାକୁ ହେବ। ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ଅଧିକାରୀଙ୍କ ଅନୁରୋଧକୁ ସହାନୁଭୂତିର ସହ ବିଚାର କରାଯିବ।
ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ, ସେମାନଙ୍କୁ ପାଖାପାଖି ସ୍ଥାନରେ ରଖିବାକୁ ଚେଷ୍ଟା କରାଯିବ। ଯେଉଁମାନେ KBK ଭଳି ଦୁର୍ଗମ ଅଞ୍ଚଳରେ ୩ ବର୍ଷ କାମ କରିବେ ସେମାନଙ୍କୁ ବଦଳି ସମୟରେ ପସନ୍ଦର ଜିଲ୍ଲା ପାଇଁ ପ୍ରାଧାନ୍ୟ ମିଳିବ। ଏହି ନୂଆ ନିୟମ ପୂର୍ବର ସମସ୍ତ ନିୟମକୁ ରଦ୍ଦ କରିଛି।
