ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି
ଭୁବନେଶ୍ୱର (ସଂକେତ ଟିଭି): ଏବେଠୁ ଗରମ ଡରାଇଲାଣି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଯେଉଁ ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ହେଉଛି, ସେହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟ କରିଛନ୍ତି। ପ୍ରଥମେ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ।
ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ଯାହାକୁ ବିଭାଗ ବିଚାରକୁ ନେଇଛି। ସେହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତି ନେବ। ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତି ନିଆଯିବ।
ତେଣୁ ଏସଆରସିଙ୍କ ବୈଠକ ପରେ ହିଁ ସ୍କୁଲ ଛୁଟି ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
