୩ ଜିଲ୍ଲାକୁ ରେଡ୍ ଆଲର୍ଟ, ଆଗାମୀ ୩ ଦିନ ତାତିରୁ ନାହିଁ ତ୍ରାହି
ଭୁବନେଶ୍ୱର (ସଂକେତ ଟିଭି): ସୂର୍ଯ୍ୟଙ୍କ ତାପରେ ଜଳୁଛି ସାରା ଓଡ଼ିଶା। ଆଗାମୀ ୩ ଦିନ ଯାଏଁ ତାତିରୁ ତ୍ରାହି ନାହିଁ। ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଦିନରେ ତାତି ସାଙ୍ଗକୁ ବେଳ ବୁଡ଼ିବା ବେଳକୁ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୬ ଜିଲ୍ଲାରେ ପ୍ରଚଣ୍ଡ ଖରା ଗରମ ସହ ଉପକୂଳରେ ଗୁଳୁଗୁଳି ପାଇଁ ଚେତାବନୀ ରହିଛି। ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଝାରସୁଗୁଡା, ସୋନପୁର, କଳାହାଣ୍ଡି ଓ ନୂଆପଡା, ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପଶ୍ଚିମ ଓ ଉପକୂଳ ଜିଲ୍ଲାର ୧୮ ଜିଲ୍ଲାକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି(ମଙ୍ଗଳବାର) ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ରେଡ୍ ୱାର୍ଣ୍ଣିଂ ସହ ଝାରସୁଗୁଡା, ସୋନପୁର, କଳାହାଣ୍ଡି ଓ ନୂଆପଡା, ୪ ଜିଲ୍ଲାକୁ ଅରେଞ୍ଜ୍ ଏବଂ କନ୍ଧମାଳ ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପଶ୍ଚିମ ଓ ଉପକୂଳ ଜିଲ୍ଲାର ୧୭ ଜିଲ୍ଲାକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସକାଳେ ପ୍ରଚଣ୍ଡ ଖରା ଆଉ ଅପରାହ୍ନରେ କାଳବୈଶାଖୀର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୁଳ, ଭଦ୍ରକ, ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ, ଏହି ୨୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ରୁ ୬୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି(ମଙ୍ଗଳବାର) ସମାନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ଆଗାମୀ ୫ ଦିନ ଯାଏଁ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ଗରମ ଓ ଗୁଳୁଗୁଳୁ ହେବାକୁ ଥିବା ବେଳେ ୭ ଦିନ ଯାଏଁ ଅର୍ଥାତ ୩୧ ତାରିଖ ଯାଏ ରାଜ୍ୟବ୍ୟାପୀ କାଳବୈଶାଖୀ ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି।
ସେପଟେ ଉତ୍ତର ଉପକୂଳ ଓଡ଼ିଶା ସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଆଶାନ୍ତ ରହିବ। ତେଣୁ ୨୮ ଓ ୨୯ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
