ଭୁବନେଶ୍ୱର ଫେରିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ
ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ସାରି ସୋମବାର ଭୁବନେଶ୍ୱର ଫେରିଛନ୍ତି। ଗତ ୧୦ ତାରିଖରେ ସେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ପ୍ରେମ ପଟ୍ଟନାୟକଙ୍କ ହୃଦଘାତ ଅସ୍ତ୍ରୋପଚାର ପାଇଁ ନବୀନ ଦିଲ୍ଲୀ ଯାଇଥିଲେ।
ଦିଲ୍ଲୀରେ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ୱ ଦେଇଥିଲେ।
ମାନସ ମଙ୍ଗରାଜ ୨୦୨୨ରୁ ରାଜ୍ୟସଭା ସାଂସଦ ଅଛନ୍ତି ଏବଂ ପୂର୍ବରୁ ସେ ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ସଂସଦୀୟ ଦଳ ନେତା କରାଯିବା ପରେ ସୁଲତା ଦେଓଙ୍କୁ ସଂସଦୀୟ ଦଳ ଉପନେତା ଓ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଏହି ନୂଆ ଦାୟିତ୍ୱ ବିଷୟରେ ଅବଗତ କରାଇଛନ୍ତି।
