ସିସୋର ଚିଟ୍ଫଣ୍ଡ ଠକେଇ ମାମଲା : ମାମଲା ରଦ୍ଦ ପାଇଁ ପ୍ରଭାତ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ
କଟକ(ସଂକେତ ଟିଭି): ସିସୋର ଚିଟ୍ଫଣ୍ଡ ଠକେଇ ମାମଲାକୁ ନେଇ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ମୂଳ ମାମଲାକୁ ରଦ୍ଦ କରିବା ଲାଗି ପ୍ରଭାତ ହାଇକୋର୍ଟରେ ଆବେଦନ କରିଛନ୍ତି।
ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ, ସିବିଆଇ କୋର୍ଟରେ ମାମଲାର ଶୁଣାଣି ଏକ ବର୍ଷ ଭିତରେ ସରିବା କଥା। କିନ୍ତୁ ୨ ବର୍ଷ ବିତିଯାଇଥିଲେ ବି ଏହା ଅସମାପ୍ତ ହୋଇ ପଡ଼ି ରହିଛି। ଏହା ପ୍ରମାଣିତ କରୁଛି ଯେ, ତାଙ୍କ ବିରୁଦ୍ଧରେ ସେଭଳି ଠୋସ୍ ପ୍ରମାଣ ନାହିଁ ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ କରିବାରେ ଅସମର୍ଥ। ତେଣୁ ମାମଲାକୁ ରଦ୍ଦ କରିବା ଲାଗି ହାଇକୋର୍ଟରେ ସେ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ହାଇକୋର୍ଟ ସିବିଆଇକୁ ଜବାବ ତଲବ କରିଛନ୍ତି।
ଆସନ୍ତା ମାସ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଯେହେତୁ ବର୍ଷକ ଭିତରେ ମାମଲାର ଶୁଣାଣି ଶେଷ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନଥିବା କାରଣରୁ ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିବା ଦାୟର ପିଟିସନରେ ଉଲ୍ଲେଖ ହୋଇଛି।
