FeaturedLatestNews

ମୃତ ଭଉଣୀର କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କରେ ହାଜର ହେଲା ଭାଇ

କେନ୍ଦୁଝର(ସଂକେତ ଟିଭି): ମୃତଦେହ କାନ୍ଧରେ ବୁହାକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା । କଳାହାଣ୍ଡି ପରେ କେନ୍ଦୁଝରରେ ଅଭାବନୀୟ ଘଟଣା । ୨୦୧୬ରେ କଳାହାଣ୍ଡି ଜିଲ୍ଲାର ଦାନା ମାଝୀ, ନିଜ ପତ୍ନୀଙ୍କ ମୃତଦେହକୁ ହସ୍ପିଟାଲରୁ କାନ୍ଧେଇ ଘରକୁ ନେବାର ଦୃଶ୍ୟ ସେତେବେଳେ ଜାତୀୟ ଗଣମାଧ୍ୟମରେ ସିରୋନାମା ପାଲଟିଥିଲା । ଜିଲ୍ଲା ହସ୍ପିଟାଲରେ ଶବ ବୁହା ଗାଡ଼ି (Mortuary Van) ନଥିବାରୁ, ପତ୍ନୀଙ୍କ ମୃତ ଶରୀରକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହିଥିଲେ ଦାନା ମାଝୀ ।

ଏବେ କେନ୍ଦୁଝର ପାଟଣା ଅଞ୍ଚଳରେ, ମୃତ ଭଉଣୀଙ୍କ ଗଳିତ ମରଶରୀରକୁ ନେଇ ବ୍ୟାଙ୍କରେ ପହଞ୍ଚିଲେ ଜିତୁ ମୁଣ୍ଡା । ମୃତ ଭଉଣୀଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମାଣ ମାଗିବାରୁ, ଭାଇ ଜିତୁ ମଶାଣିରେ ପୋତା ଯାଇଥିବା ଭଉଣୀ ମୃତଶରୀରର କଙ୍କାଳ (ଅବଶେଷାଂଶ)କୁ ଧରି ଗତକାଲି (ଏପ୍ରିଲ ୨୭) ମଲ୍ଲିପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପହଞ୍ଚିଥିଲେ । କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ଯାଞ୍ଚ ଆରମ୍ଭ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର କେନ୍ଦୁଝର ଜିଲ୍ଲା ପ୍ରବନ୍ଧକ ସତ୍ୟବ୍ରତ ନନ୍ଦ କହିଛନ୍ତି, “ଗତକାଲି (ସୋମବାର) ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ବ୍ୟାଙ୍କକୁ ଆସି ତାଙ୍କ ମୃତ ଭଉଣୀଙ୍କର ବ୍ୟାଙ୍କରେ ଜମାଥିବା ଟଙ୍କା ମାଗିଥିଲେ । ବ୍ୟାଙ୍କ ଅଧିକାରୀ ସୁଶାନ୍ତ କୁମାର ସେଠୀ, ତାଙ୍କୁ ଉପଯୁକ୍ତ କାଗଜପତ୍ର ମାଗିଥିଲେ । ବ୍ୟାଙ୍କ ଅଧିକାରୀ ତାଙ୍କୁ ଯାହା କହିଥିଲେ ସେ କିଛି ବୁଝି ପାରିନଥିଲେ । ଏହାର ଠିକ୍ ଦୁଇ ଘଣ୍ଟା ପରେ, ଜିତୁ ମୁଣ୍ଡା ମଶାଣିରୁ ତାଙ୍କ ଭଉଣୀଙ୍କ ମୃତ ଶରୀର ଖୋଳି କାନ୍ଧରେ ବୋହି ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଘଟଣା ପରେ ଆମେ ପୋଲିସକୁ ଖବର ଦେଇଥିଲୁ । ପୋଲିସ ବ୍ୟାଙ୍କକୁ ଆସି ତାଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣାକୁ ନେଇ ଆମେ ଦୁଃଖ ପ୍ରକାଶ କରିଛୁ । ସେ କିପରି ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଜମାଖାତାରେ ଥିବା ଟଙ୍କା ଖୁବଶୀଘ୍ର ଫେରି ପାଇବେ, ସେ ବ୍ୟବସ୍ଥା କରୁଛୁ।”

ଗତକାଲିର ଘଟଣାକୁ ନେଇ ମଲ୍ଲିପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ସେଠୀ କହିଛନ୍ତି, “ଗତକାଲି ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କ ମୃତ ଭଉଣୀଙ୍କ ବ୍ୟାଙ୍କଖାତାରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ହେଲେ ଆମେ ତାଙ୍କର ମୃତ ଭଉଣୀଙ୍କ ଉତ୍ତରାଧିକାରୀ (Nominee) ଏବଂ ମୃତକଙ୍କ ପ୍ରମାଣ ପତ୍ର ଆଣିବା ପାଇଁ କହିଥିଲୁ । ଏହା ଶୁଣି ସେ ଉତ୍ତ୍ୟକ୍ତ ହୋଇ ଫେରି ଯାଇଥିଲେ ଏବଂ ପୁଣି ଦୁଇ ଘଣ୍ଟା ପରେ ସେ ଭଉଣୀଙ୍କ କଙ୍କାଳ ନେଇ ବ୍ୟାଙ୍କକୁ ଆସିଥିଲେ । ଯାହାକୁ ନେଇ ଆମେ ପୋଲିସରେ ଖବର ଦେଇଥିଲୁ ।”

ପାଟଣା ଥାନା ଭାରପ୍ରାପ୍ତ ଅଧିକାରୀ କିରଣ ପ୍ରସାଦ ସାହୁ କହିଛନ୍ତି, “ବ୍ୟାଙ୍କ ପକ୍ଷରୁ ସୂଚନା ମିଳିବା ପରେ ମୁଁ ସେଠାରେ ପହଞ୍ଚିଥିଲି । ଜିତୁ ଜଣେ ନିରକ୍ଷର ବ୍ୟକ୍ତି ହୋଇଥିବାରୁ ତାଙ୍କର ବ୍ୟାଙ୍କ ନିୟମ ଅନୁଯାୟୀ ଉତ୍ତରାଧିକାରୀ ବା ନୋମିନି ସମ୍ପର୍କରେ କୌଣସି ଧାରଣା ନଥିଲା । ମୃତ ବ୍ୟକ୍ତିଙ୍କ ଖାତାରୁ ଟଙ୍କା କିପରି ଉଠାଯିବ ? ସେନେଇ ତାଙ୍କୁ ବ୍ୟାଙ୍କ କର୍ମଚାରୀମାନେ ବୁଝାଇବା ସତ୍ତ୍ବେ, ସେ ବୁଝି ନଥିଲେ । ଫଳରେ ଏପରି ଘଟଣା ଘଟିଛି ।”

ପାଟଣା ବ୍ଲକ ଉନ୍ନୟନ ଅଧିକାରୀ (BDO) ମାନସ ଦଣ୍ଡପାଟ କହିଛନ୍ତି ଯେ, “ମୃତ ମହିଳା କାଲରା ମୁଣ୍ଡାଙ୍କ ଆଇନ ଅନୁଯାୟୀ ଉତ୍ତରାଧିକାରୀ ସମ୍ପର୍କରେ, ତାଙ୍କ ଭାଇ ଜିତୁ ମୁଣ୍ଡାଙ୍କୁ କେହି ପଚାରି ନଥିଲେ । ଆଜି ମୁଁ ଏହି ବିଷୟରେ ଜାଣିଲି । ସମସ୍ୟାର ସମାଧାନ ପାଇଁ କ’ଣ କରାଯାଇ ପାରିବ, ସେନେଇ ଚେଷ୍ଟା କରିବି ।”

କାଲରା ମୁଣ୍ଡା (ଜିତୁ ମୁଣ୍ଡାଙ୍କ ଭଉଣୀ)ଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗାଁ । କାଲରା ମୁଣ୍ଡାଙ୍କର ମଲ୍ଲିପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଏକ ଜମାଖାତା (Bank Account) ଥିଲା, ଯେଉଁଥିରେ ୧୯,୩୦୦ ଟଙ୍କା ଥିଲା । କାଲରା ମୁଣ୍ଡା (୫୬)ଙ୍କର ଗତ ଜାନୁଆରୀ ମାସରେ ମୃତ୍ୟୁ ଘଟିଥିବା ବେଳେ, ଭଉଣୀର ବ୍ୟାଙ୍କଖାତାରେ ଥିବା ଟଙ୍କା ଉଠାଇବା ପାଇଁ ଭାଇ ଜିତୁ ମୁଣ୍ଡା (୫୧) ଗତକାଲି (ଏପ୍ରିଲ ୨୭, ସୋମବାର) ବ୍ୟାଙ୍କକୁ ଯାଇଥିଲେ ।

ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ପ୍ରମାଣ ପତ୍ର ମାଗିଥିଲେ । ଜିତୁଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ସେଠାରୁ ଫେରି ମଶାଣିକୁ ଚାଲି ଯାଇଥିଲେ । ସେଠାରେ ପୋତା ଯାଇଥିବା ନିଜ ଭଉଣୀର ମୃତ ଶରୀରର ଅବଶେଷାଂଶକୁ ମାଟି ତଳୁ ଖୋଳି କାନ୍ଧରେ ଧରି ପୁଣି ଥରେ ବ୍ୟାଙ୍କରେ ପହଞ୍ଚିଥିଲେ । ଯାହାକୁ ନେଇ ବ୍ୟାଙ୍କ ପରିସରରେ ଅପ୍ରିତିକର ସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପୋଲିସ ବୁଝାସୁଝା କରିବା ପରେ ସେ ଘରକୁ ଫେରିଥିଲେ ।