ମୋଦି-ଶାହ ଓ ବିଜେପି ବିଶ୍ୱାସଘାତକ, ଦେଶ ବିକି ଦେଇଛନ୍ତି : ରାହୁଲ ଗାନ୍ଧୀ
ରାୟବରେଲି (ସଂକେତ ଟିଭି): ରାୟବରେଲିରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଅମର୍ଯ୍ୟଦାପୂର୍ଣ୍ଣ ମନ୍ତବ୍ୟ ଦେଇ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଛନ୍ତି। ରାୟବରେଲି ଗସ୍ତର ଦ୍ବିତୀୟ ଦିନରେ ସେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର୍ ବର୍ଷା କରିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି, ‘ଆସନ୍ତା ୩-୪ ମାସ ମଧ୍ୟରେ ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଯିବ। ଦରଦାମ ଏତେ ବୃଦ୍ଧି ପାଇବ, ଯାହା ଆପଣ କେବେ ଦେଖି ନ ଥିବେ। ଆଗକୁ ତେଲ ମିଳିବ ନାହିଁ, ଗ୍ୟାସ ମିଳିବ ନାହିଁ, ଚାଷୀଙ୍କୁ ଖାଦ୍ୟ ମିଳିବ ନାହିଁ। ଏହି ଦରଦାମ ବୃଦ୍ଧିର ସବୁଠୁ ଅଧିକ ଶିକାର ହେବେ ଚାଷୀ, ଯୁବଗୋଷ୍ଠୀ ଏବଂ ମହିଳା।’
ସେ ଆହୁରି କହିଛନ୍ତି, ‘ନରେନ୍ଦ୍ର ମୋଦି ଦେଶର ଆର୍ଥିକ ସ୍ଥିତି ଏପରି କରି ଦେଇଛନ୍ତି, ଯାହାକୁ ସମ୍ଭାଳିବା କଷ୍ଟକର। ମୋଦି ଦେଶକୁ ପୁଞ୍ଜିପତିଙ୍କ ହାତରେ ବିକି ଦେଇଛନ୍ତି। ଦେଶର ସମ୍ବିଧାନକୁ ଚିରି ଫିଙ୍ଗି ଦେଇଛନ୍ତି। ଆଗକୁ ଏମିତି ଆର୍ଥିକ ଝଡ଼ ଦେଖାଦେବ, ଯେଉଁଥିରୁ କେହି ବଞ୍ଚି ପାରିବେ ନାହିଁ। ସେତେବେଳେ ନରେନ୍ଦ୍ର ମୋଦି ଟିଭିରେ ଆସି କାନ୍ଦିବେ।’
ଏହି ଅବସରରେ ସେ ଆମ୍ବେଦକର ଓ ବୀରା ପାସିଙ୍କ ସ୍ମୃତିଚାରଣ କରି କହିଛନ୍ତି, ‘ସେମାନଙ୍କ ବିଚାରଧାରାର ଠିକ୍ ଭାବେ ରକ୍ଷା କରାଯାଉ ନାହିଁ। ଆମ ସାମ୍ନାରେ ସମ୍ବିଧାନ ଉପରେ ଆକ୍ରମଣ କରାଯାଉଛି। ସମ୍ବିଧାନ କେବଳ ପୁସ୍ତକ ନୁହେଁ, ଏହା ଏକ ବିଚାରଧାରା। ଆରଏସଏସ ଖୋଲାଖୋଲି ସମ୍ବିଧାନ ଉପରେ ଆକ୍ରମଣ କରୁଛି।’
ରାହୁଲ ଗାନ୍ଧୀ ଅଭିଯୋଗ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ କହୁଛନ୍ତି ବିଦେଶ ଯାଅନି, ସୁନା କିଣନି, ଇଲେକ୍ଟ୍ରିକ୍ ଗାଡ଼ି କିଣ। ହେଲେ ନିଜେ ବିଦେଶ ଚାଲିଯାଉଛନ୍ତି। ପ୍ରଧାନମନ୍ତ୍ରୀ ଭୋଟ ଚୋରି କରୁଛନ୍ତି, ଜାତି ଜନଗଣନା କରୁନାହାନ୍ତି, ଅଦାନୀ-ଅମ୍ବାନୀଙ୍କୁ ଦେଶ ବିକି ଦେଇଛନ୍ତି। ଆମ୍ବେଦକର ଓ ବୀରା ପାସିଙ୍କ ବିଚାରଧାରାକୁ ରକ୍ଷା କରିବା ଆମର କର୍ତ୍ତବ୍ୟ।’
