ବିଚ୍ ରାସ୍ତାରେ ଯୁବକ ଓ ବାନ୍ଧବୀଙ୍କୁ ଠେଙ୍ଗାରେ ଆକ୍ରମଣ, ଅରାଜକତା କହିଲେ ନବୀନ
ବ୍ରହ୍ମପୁର(ସଂକେତ ଟିଭି): ବିଚ୍ ରାସ୍ତାରେ ଯୁବକଙ୍କ ସମେତ ତାଙ୍କ ବାନ୍ଧବୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବ୍ରହ୍ମପୁର ସହରର ଗିରିରୋଡ଼ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଭାଇରାଲ ଭିଡିଓରୁ ପୋଲିସ ତଦନ୍ତ ଜାରି ରଖିଛି। ସୋମବାର ରାତିରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣି ଥରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।
ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଉମେଶ ରଥ। ଉମେଶ ଏବଂ ତାଙ୍କ ବାନ୍ଧବୀ ଗିରିରୋଡ଼ରେ ଜଳଖିଆ ଖାଉଥିବା ସମୟରେ ଦୁର୍ବୃତ୍ତମାନେ କିଛି ସମୟ ଧରି ଉମେଶଙ୍କ ସହ କଥାକଟାକଟି କରିବା ପରେ ହଠାତ୍ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବକମାନେ ବାଡ଼ି, ଖଣ୍ଡା ସହ ଅନ୍ୟ କିଛି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଉମେଶଙ୍କ ମା।
ଆକ୍ରମଣ ବେଳେ ଉମେଶ ତଳେ ପଡ଼ିଯାଇଥିଲେ। ତାଙ୍କୁ ଅମାନୁଷିକ ଭାବେ ପିଟି ଚାଲିଥିଲେ ଦୁର୍ବୃତ୍ତ। ଏହି ସମୟରେ ଉମେଶଙ୍କୁ ଅପରାଧୀଙ୍କ ନିକଟରୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବାନ୍ଧବୀ ଜଣଙ୍କ। ତଥାପି ସେମାନେ ନ ଅଟକି ମାଡ଼ ମାରି ଚାଲିଥିଲେ। ଗୁରୁତର ଅବସ୍ଥାରେ ଉମେଶଙ୍କ ସହ ତାଙ୍କ ବାନ୍ଧବୀଙ୍କୁ ଛାଡ଼ି ଦେଇ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ ମାରିଥିଲେ। ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉମେଶଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ମା। ଗତ ଦୁଇ ଦିନ ପୂର୍ବରୁ ମଧ୍ୟ କିଛି ଯୁବକ ଉମେଶଙ୍କୁ ଧମକ ଦେଇଥିବା ବେଳେ ଏନେଇ ସେ ପୋଲିସକୁ ଅବଗତ କରାଇଥିଲେ। ପୂର୍ବରୁ ମଧ୍ୟ କିଛି ଯୁବକ ଉମେଶଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ୨୦୨୩-୨୪ ମସିହାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ଶତ୍ରୁତା ଲାଗିରହିଥିବା କୁହାଯାଇଛି।
ଉମେଶଙ୍କ ମା କହିଛନ୍ତି, ‘‘ଏହି ଘଟଣାରେ ଦିନେଶ, ମୋଗଲି ଓ ଆଶିଷ ସାମିଲ ଅଛନ୍ତି। ଆହୁରି ଏକାଧିକ ଲୋକ ଏଥିରେ ସାମିଲ ଅଛନ୍ତି। ମୋ ପୁଅକୁ ମାଡ଼ ମାରି ବୋହୂକୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ସେମାନେ ଆସିଥିଲେ। ପୂର୍ବରୁ ମଧ୍ୟ ଏହି ବିବାଦ ଲାଗି ରହିଥିବାରୁ ଏସପି ଶ୍ରବଣା ବିବେକ ହସ୍ତକ୍ଷେପ କରିଥିଲେ କିନ୍ତୁ ସମାଧାନର ବାଟ ବାହାରି ନଥିଲା। ସେମାନେ କାଲି ମୋ ପୁଅ ଉପରେ ଅତର୍କିତ ଆକ୍ରମଣ କଲେ।’’
ସେପଟେ ପୂର୍ବ ଶତ୍ରୁତା କାରଣରୁ ଏପରି ଘଟଣା ଘଟିଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ। ବ୍ରହ୍ମପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଏବଂ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ବହୁ ମାମଲା ରହିଥିବା କହିଛନ୍ତି ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ ।
ଏହି ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ଏକ୍ସରେ ପୋଷ୍ଟ କରିଛନ୍ତି, ‘‘ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି, ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି। ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। … ବିଜେପି ସରକାର ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ।’’
