ମେ’ ୨ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ରେଜଲ୍ଟ
କଟକ(ସଂକେତ ଟିଭି): ଆସନ୍ତା ମେ’ ୨ ତାରିଖରେ ଚଳିତବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟର ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି।
ବୋର୍ଡ ୱେବ ସାଇଟ୍ www.bseodisha.ac.inରେ ରେଜଲ୍ଟ ଦେଖି ହେବ। ନିଜର ମୋବାଇଲରୁ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣି ପାରିବେ। OR10 space ନିଜର ରୋଲ ନମ୍ବରକୁ ଟାଇପ୍ କରି 5676750କୁ ମେସେଜ କଲେ ରେଜଲ୍ଟ ଜାଣି ହେବ। ସ୍କୁଲ ପ୍ରଧାନ ଶିକ୍ଷକମାନେ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ମଧ୍ୟ ରେଜଲ୍ଟ ଜାଣି ପାରିବେ।
ରେଜଲ୍ଟ ବାହାରିବା ଦିନ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ। ଏଥିପାଇଁ ଅନଲାଇନରେ ଏବଂ ୱାଟ୍ସଆପ୍ ମାଧ୍ୟମରେ ଜାଣିହେବ। ନିଜର ୱାଟ୍ସଆପ୍ରେ 7710058192କୁ ସେଭ୍ କରନ୍ତୁ। ପରେ ଉକ୍ତ ନମ୍ବରରେ BSE ଟାଇପ୍ କରନ୍ତୁ, ଏବଂ ପରବର୍ତ୍ତୀ ସମୟରେ ଏହି ପଦ୍ଧତି ଦ୍ୱାରା ସାର୍ଟିଫିକେଟ ପାଇପାରିବେ।
ସେହିପରି ରିଚେକିଂ ପାଇଁ ବୋର୍ଡ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବ। କୌଣସି ଛାତ୍ରଛାତ୍ରୀଙ୍କର ଯଦି କୌଣସି ସମସ୍ୟା ଥାଏ, ତେବେ ବୋର୍ଡ କାର୍ଯ୍ୟାଳୟରେ ଥିବା ଟୋଲଫ୍ରି ନମ୍ବରକୁ ଯୋଗାଯୋଗ କରିପାରିବେ। ଦୁଇଟି ନମ୍ବର ବୋର୍ଡ ପକ୍ଷରୁ ଜାରି କରାଯିବ। ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ ସୂଚନା ଦେଇଛନ୍ତି ଯେ, ଏହି ନମ୍ବରରେ ଯୋଗାଯୋଗ କରି ଛାତ୍ରଛାତ୍ରୀମାନେ ନିଜର ସମସ୍ୟା ସମ୍ପର୍କରେ ଜାଣି ପାରିବେ। ତେବେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉକ୍ତ ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ ପୂର୍ବରୁ କହିଥିଲେ ଯେ, ସବୁକିଛି ଠିକ୍ ରହିଲେ ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଗତବର୍ଷ ଅପେକ୍ଷା ଗୋଟିଏ ଦିନ ପୂର୍ବରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କରାଯାଇଛି। ଚଳିତବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷା ସରିଛି। ପ୍ରଥମଥର ପାଇଁ ଚଳିତ ପରୀକ୍ଷାରେ କୌଣସି ପରୀକ୍ଷାର୍ଥୀ କପି କରି ନାହାନ୍ତି।
ରାଜ୍ୟର ମୋଟ ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତଥର ପ୍ରଥମ କରି ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ସିସିଟିଭିର ବ୍ୟବହାର କରାଯାଇଥିଲା। ବୋର୍ଡ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ସାରା ରାଜ୍ୟର ୩,୦୮୨ଟି କେନ୍ଦ୍ର ଉପରେ ସିଧାସଳଖ ନଜର ରଖାଯାଇଥିଲା।
