FeaturedLatestNews

୨୬ ବର୍ଷ ପରେ ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ୍; ଆରମ୍ଭ ହେଲା ସାକ୍ଷ୍ୟଗ୍ରହଣ

ଭୁବନେଶ୍ୱର (ସଂକେତ ଟିଭି): ୨୬ ବର୍ଷ ତଳେ ଓଡ଼ିଶାରେ ଚହଳ ପକାଇଥିବା ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ୍ ଘଟଣାକୁ ନେଇ ପୁଣି ତନାଘନା ଦେଖିବାକୁ ମିଳିଛି। କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଘଟଣା ସିବିଆଇ ତଦନ୍ତ କରୁଥିବା ବେଳେ ୨୬ ବର୍ଷ ପରେ ଆରମ୍ଭ ହୋଇଛି ସାକ୍ଷ୍ୟ ଗ୍ରହଣ।

ଭୁବନେଶ୍ୱର ସ୍ପେଶାଲ ଟ୍ରାକ୍ କୋର୍ଟ କମ୍ ରେଜିଷ୍ଟ୍ରାର୍ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ଭାବେ ନିଯୁକ୍ତ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର କାଳୀ ଚରଣ ମିଶ୍ର ଏହାକୁ ତତ୍ତ୍ୱାବଧାନ କରିଥିଲେ। ପୂର୍ବରୁ ୬ ଜଣ ସାକ୍ଷୀ ନିଜର ବୟାନ ରଖି ସାରିଥିବା ବେଳେ ଆଜି ମୁଖ୍ୟ ସାକ୍ଷୀ ତଥା ତତ୍କାଳୀନ ଜୁନିୟର କ୍ଲର୍କ ଗୌରୀ ଶଙ୍କର ପଣ୍ଡା ସାକ୍ଷ୍ୟ ଦେଇଛନ୍ତି।

ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଆଉ ଦୁଇଟି ପର୍ଯ୍ୟାୟର ସାକ୍ଷ୍ୟ ଗ୍ରହଣ ହୋଇପାରି ନାହିଁ, ଯାହା ଆଗକୁ କରାଯିବ।

୧୯୯୯ ମସିହାରେ ବାଲେଶ୍ୱରର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଯୁକ୍ତି ତିନି (କଳା) ଶେଷ ବର୍ଷର ଛାତ୍ରୀ ଜଣକ ରାଜ୍ୟସ୍ତରୀୟ ଆଥଲେଟ୍ ଭାବରେ ନାଁ କରିଥିଲେ। ଉକ୍ତ ମହାବିଦ୍ୟାଳୟର ତତ୍କାଳୀନ ଖେଳ ଅଧ୍ୟାପିକା ପ୍ରଭାସିନୀ କର ତାଙ୍କୁ ସ୍ପୋର୍ଟସ୍ କୋଟାରେ ଚାକିରି ଓ ଷ୍ଟାଇପେଣ୍ଡର ପ୍ରଲୋଭନ ଦେଖାଇଥିଲେ।

ସେହିବର୍ଷ ଜୁନ୍ ୯ରେ ଛାତ୍ରୀଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ କୃଷ୍ଣା ଟାୱାରରେ ଅଧ୍ୟାପିକା ପହଞ୍ଚିଥିଲେ। ସେଠାରେ କିଛି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ପୀଡ଼ିତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। କୌଶଳକ୍ରମେ ପୀଡ଼ିତା ସେଠାରୁ ଖସି ବାଲେଶ୍ୱର ପଳାଇ ଆସି ଟାଉନ୍ ଥାନାରେ ଏତଲା ଦେଇଥିଲେ।

ଏହି ଘଟଣାରେ ଓଡ଼ିଶା ସାରା ଦେଶରେ ବଦନାମ ହେବା ସହ ବିଧାନସଭାରେ ତୁମୁଳ ବିରୋଧ ହୋଇଥିଲା। ବିରୋଧୀଙ୍କ ଚାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଘଟଣାକୁ ସତ୍ୟ ବୋଲି କହିବା ପରେ ତତ୍କାଳୀନ ବିଧାୟକ ସ୍ୱର୍ଗତ ଅରୁଣ ଦେ ସିବିଆଇ ତଦନ୍ତ ଦାବି ଉଠାଇଥିଲେ। ପରେ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

୨୦୦୦ ମସିହା ମେ’ରେ ସିବିଆଇ ତଦନ୍ତ ଭାର ସମ୍ଭାଳିଲା। ପ୍ରଭାସିନୀ କରଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହେବା ସହ ଏକାଧିକ ଆଇଏଏସ୍ ଅଧିକାରୀ ଜେରା ସାମ୍ନା କରିଥିଲେ। ପ୍ରଭାସିନୀ ଓ ତାଙ୍କ ପୁଅ ସିଦ୍ଧାର୍ଥ ପାତ୍ର (ହୋମିଓପାଥି ଡାକ୍ତର) ଏକ ହାଇପ୍ରୋଫାଇଲ୍ ସେକ୍ସ ସ୍କାଣ୍ଡାଲ୍ ଚଲାଉଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା।

୨୦୦୧ରେ ସିଦ୍ଧାର୍ଥ ଫେରାର୍ ହୋଇଗଲେ। ତାଙ୍କ ବିରୋଧରେ ଜାମିନବିହୀନ ଗିରଫୀ ପରୱାନା ଜାରି ହେବା ସହ ସିବିଆଇ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା। ପରେ ସେ ଅଦାଲତରେ ଆତ୍ମସମର୍ପଣ କରିଥିଲେ।

୨୦୧୨ରେ ପୀଡ଼ିତା ହାଇକୋର୍ଟରେ ଏକାଧିକ ଆଇଏଏସ୍ ଅଧିକାରୀଙ୍କ ନାଁରେ ପିଟିସନ୍ ଦାଖଲ କରି ପରେ ନାଟକୀୟ ଭାବେ ପ୍ରତ୍ୟାହାର କରିଥିଲେ। ୨୦୧୩ ଫେବୃଆରୀ ୧୪ରେ ହାଇକୋର୍ଟ ପିଟିସନ୍ ଖାରଜ କରିଥିଲେ। ସିବିଆଇ ସ୍ପେଶାଲ କୋର୍ଟରେ ଚାର୍ଜସିଟରେ ୨୫ରୁ ଅଧିକ ସାକ୍ଷୀ ଥିବା ବେଳେ ଜଣେ ସାକ୍ଷୀଙ୍କ ମୃତ୍ୟୁ ହୋଇସାରିଛି। ମୁଖ୍ୟ ସାକ୍ଷୀ ଗୌରୀଶଙ୍କର ପଣ୍ଡା ନିଜର ସାକ୍ଷ୍ୟ ଦେଇସାରିଛନ୍ତି।