ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ
ରାୟଗଡ଼ା (ସଂକେତ ଟିଭି): ରାୟଗଡ଼ାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର (ପିଏମଜିଏସୱାଇ) ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନାର ଆରମ୍ଭ ହୋଇଛି।
ଏହି ଯୋଜନାରେ ଓଡ଼ିଶାରେ ସମୁଦାୟ ୮୨୭ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ହେବାକୁ ଥିବା ବେଳେ ୧୬୯୮ କୋଟି ୪ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ ୨୭୪ଟି ପକ୍କା ସଡ଼କ ନିର୍ମାଣ ହେବ। ଏଥିପାଇଁ କେନ୍ଦ୍ର ସରକାର ୫୬୨ କୋଟି ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି।
ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ କେବିକେ ଅଞ୍ଚଳର କୋରାପୁଟରେ ୨୩ଟି, ମାଲକାନଗିରିରେ ୧୬୮, ନବରଙ୍ଗପୁରରେ ୧୩୮, କନ୍ଧମାଳ ପାଇଁ ୧୫୩, ସମ୍ବଲପୁର ଜିଲ୍ଲାରେ ୧୯, କେନ୍ଦୁଝରରେ ୪୬ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ଗ୍ରାମକୁ ପିଏମଜିଏସୱାଇ ରାସ୍ତା ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫଳରେ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସାମଗ୍ରୀକ ଗ୍ରାମୀଣ ବିକାଶ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।
ରାୟଗଡ଼ା ସ୍ଥାନୀୟ ଜେଏସକୋ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଦ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ, କେନ୍ଦ୍ରୀୟ ନିର୍ଦ୍ଦେଶିକା ରୀନା ଓ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଞ୍ଚାସୀନ ଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟ ପାଇଁ ୬୩୦ କୋଟି ଏବଂ ଜଳଛାୟାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୩୦ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଦେଇଛନ୍ତି। ଆଜି ରାୟଗଡ଼ା ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ମଧ୍ୟ କରାଯାଇଛି।
ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଲେ ଯେ ରାୟଗଡ଼ା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ ହେବ, ଯେଉଁଥିପାଇଁ ୫୬୨.୧୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତି ଗ୍ରାମ ଯୋଡ଼ି ହୋଇପାରିବ ଏବଂ ୫୫୨.୨୧ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ। ଏହି ଯୋଜନାରେ ରାୟଗଡ଼ା ଜିଲ୍ଲା ଓଡ଼ିଶାରେ ସର୍ବାଧିକ ପ୍ରକଳ୍ପ ପାଇଛି।
ଏହି ଯୋଜନା ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ସକ୍ଷମ କରିବା, କୃଷି ଆୟ ବୃଦ୍ଧି କରିବା, ଉତ୍ପାଦନଶୀଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ପୂର୍ବରୁ ସଂଯୋଗ ହୋଇନଥିବା ଗ୍ରାମୀଣ ବସତିଗୁଡ଼ିକୁ ସବୁ ପାଣିପାଗରେ ଚାଲୁରହୁଥିବା ରାସ୍ତା ସହ ସଂଯୋଗ କରିବ ବୋଲି ସୂଚନା ଦିଆଯାଇଛି।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପଜିଲ୍ଲାପାଳ ଦିଲୀପ ଅଭିଷେକ ଦୁଧଲ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଧନ୍ୟବାଦ ଅର୍ପଣ କରିଥିଲେ।
