FeaturedLatestNews

ଲିଙ୍ଗରାଜଙ୍କ ଖାତାକୁ ଫେରିଲା ୧୪୯ ଏକର ଜମି

ଭୁବନେଶ୍ୱର (ସଂକେତ ଟିଭି): ଶ୍ରୀଲିଙ୍ଗରାଜଙ୍କ ଖୋଦ ଦଖଲ ଜମି ନେଇ ଯାଇଥିଲେ ସରକାର। ଶ୍ରୀଜିଉଙ୍କୁ ଜମିଦାର ଭାବେ ଘୋଷଣା କରି ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ରାଜସ୍ୱ ଗ୍ରାମରେ ଥିବା ଠାକୁରଙ୍କ ଶହ ଶହ ଏକର ଖୋଦ ଦଖଲ ଜମି ରାଜ୍ୟ ସରକାରଙ୍କ ଖାତାକୁ ଚାଲି ଯାଇଥିଲା। ହେଲେ ଜମିଦାର ଉଚ୍ଛେଦ ଆଇନ ମୁତାବକ ଶ୍ରୀଜିଉଙ୍କ ଭାଗରେ ପଡ଼ୁଥିବା ଜମିକୁ ଫେରାଇଲେ ନାହିଁ।

ଜମି ଫେରସ୍ତ ପାଇଁ ମନ୍ଦିର ପ୍ରଶାସନ ୧୯୯୧ରେ ମକଦ୍ଦମାରେ ପକ୍ଷ ହେଲେ। ପ୍ରାୟ ୩ ଦଶନ୍ଧି ପରେ ଉକ୍ତ ମକଦ୍ଦମା ଚୂଡ଼ାନ୍ତ ହୋଇଛି। ସରକାର ଶ୍ରୀଲିଙ୍ଗରାଜଙ୍କ ଖାତାକୁ ୧୪୯ ଏକର ୫୭୦ ଡେସିମିଲ ଜମି ଫେରାଇଛନ୍ତି।

ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ରାଜସ୍ୱ ଗ୍ରାମରେ ଶ୍ରୀଜିଉଙ୍କର ୩୬୦୦ ଏକର ଜମି ଥିଲା। ସେବା ସ୍ୱତ୍ୱ ଜମିକୁ ଛାଡ଼ି ସହସ୍ରାଧିକ ଏକର ଜମି ଠାକୁରଙ୍କ ଖୋଦ ଦଖଲ ଜମି ସ୍ୱତ୍ୱାଧିକାର ଥିଲା। ଚଳିତ ବନ୍ଦୋବସ୍ତ ପୂର୍ବରୁ ସରକାର ଶ୍ରୀଜିଉଙ୍କ ସମସ୍ତ ଭୂସମ୍ପତ୍ତି ରେକର୍ଡକୁ ଜବତ କରି ନେଇଥିଲେ। ଏହାପରେ ଠାକୁରଙ୍କ ଖୋଦ ଦଖଲ ଜମିକୁ ସରକାରୀ ଜମି ଭାବେ ପରିବର୍ତ୍ତନ କରିଦେଇଥିଲେ।

୧୯୯୧ ମସିହାରେ ମନ୍ଦିର ପ୍ରଶାସନ ଠାକୁରଙ୍କ ଜମି ଫେରସ୍ତ ନିମନ୍ତେ ଓଇଏ/୩୭/୯୧ ମାମଲାରେ ପକ୍ଷଭୁକ୍ତ ହୋଇଥିଲେ। ପରବର୍ତ୍ତୀ କାଳରେ ସେ ମାମଲା ୩ ଭାଗରେ ବିଭକ୍ତ ଅର୍ଥାତ୍ ଓଇଏ ଅପିଲ ନଂ ୪, ୫, ୬/୯୫ ମାମଲା ହୋଇ ମେମ୍ବରଙ୍କ କୋର୍ଟରେ ଦାଖଲ ହୋଇଥିଲା। ବର୍ଷ ବର୍ଷ ଧରି ଉକ୍ତ ମାମଲାର ଶୁଣାଣି ହୋଇ ନଥିଲା। ତେବେ ୨୦୨୨ ମସିହାରେ ଉକ୍ତ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଥିଲା। ଅଦାଲତ ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଉପରୋକ୍ତ ପରିମାଣର ଜମି ଫେରାଇ ଦେବାକୁ ନିଷ୍ପତ୍ତି କରିଥିଲେ। ତଦନୁଯାୟୀ ପର୍ଯ୍ୟାୟକ୍ରମେ ରେକର୍ଡ ସଂଶୋଧନ ହୋଇ ଉକ୍ତ ସରକାରୀ ଜମି ଠାକୁରଙ୍କ ଖାତାରେ ଚଢ଼ିଛି।

ଫେରସ୍ତ ହୋଇଥିବା ସରକାରୀ ଜମି ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର, ରାଜାରାଣୀ, ଗୌତମନଗର, କପିଳପ୍ରସାଦ ଆଦି ରାଜସ୍ୱ ଗ୍ରାମରେ ରହିଛି।

ଜମିର ରେକର୍ଡ ବଦଳିଲା ସତ, କିନ୍ତୁ ସେଥିରୁ ୯୦ ପ୍ରତିଶତ ଜମି ଜବରଦଖଲ। ଜମି ରେକର୍ଡ ସରକାରୀ ଥିବା ବେଳେ ଲୋକେ ମାଡ଼ିବସି ସେଥିରେ ଘରଦ୍ୱାର ବନାଇ ଦେଇଛନ୍ତି। ଏହି ଜମି କିପରି ଦଖଲକୁ ଆସିବ ତାହା ମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଜମି ଫେରିବା ପରେ ଏହାର ବାକିଆ ଖଜଣା ଭରିବାକୁ ପଡ଼ିବ। ସେଥିପାଇଁ ଠାକୁରଙ୍କ ତହବିଲରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହେବ।

ଏହି ପରିପ୍ରେକ୍ଷୀରେ ଉକ୍ତ ଜମି ଗୁଡ଼ିକ ସୁବିନିଯୋଗ କରି ମନ୍ଦିର ପରିଚାଳନା କ୍ଷେତ୍ରରେ ଲାଗି ରହିଥିବା ଆର୍ଥିକ ନିଅଣ୍ଟ ଭରଣା କରିବାକୁ ଶ୍ରଦ୍ଧାଳୁ ଦାବି କରିଛନ୍ତି। ଏ ସମ୍ପର୍କରେ ଶ୍ରୀଜିଉଙ୍କ ଓକିଲ ରବି ରାଉତରାୟ କହିଛନ୍ତି, “ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ଶ୍ରୀଜିଉଙ୍କ ଜମି ଚଞ୍ଚକତା କରି ନେଇଥିବା ପ୍ରମାଣ ମିଳିଲେ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।”