CrimeFeaturedLatestNews

ଝାରସୁଗୁଡ଼ାରେ ନକଲି ଡିଜେଲ ଏକ୍ସଜଷ୍ଟ ଫ୍ଲୁଇଡ୍ କାରଖାନା ଠାବ, ୭ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ନକଲି ଡିଜେଲ ଏକ୍ସଜଷ୍ଟ ଫ୍ଲୁଇଡ୍ (DEF) ତିଆରି କାରଖାନା ଝାରସୁଗୁଡ଼ା ଜିଲ୍ଲାରେ ଠାବ ହୋଇଛି । “ଅପରେସନ୍ ନେତ୍ରା” (Operation Netra) ଅଧୀନରେ ସଦର ଥାନା ଅଞ୍ଚଳର ସିରିଆବଗିଚା ଠାରେ ଚାଲିଥିବା ଏକ ନକଲି କାରଖାନାକୁ ଝାରସୁଗୁଡ଼ା ପୋଲିସ ଠାବ କରିବାରେ ସଫଳ ହୋଇଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କାରଖାନାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି ।

ଝାରସୁଗୁଡ଼ା ପୋଲିସ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ସିରିଆବଗିଚା ସ୍ଥିତ ଏହି ବେଆଇନ କାରଖାନା ଉପରେ ଚଢ଼ାଉ କରିଥିଲା । ଏହି କାରଖାନାରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ଯୁକ୍ତ ୟୁରିଆକୁ ପାଣି ସହିତ ମିଶାଇ ନକଲି DEF ପ୍ରସ୍ତୁତ କରାଯାଉଥିଲା । ଏହା ପରେ ଏହାକୁ ଟାଟା, ଅଶୋକ ଲେଲ୍ୟାଣ୍ଡ ଏବଂ ମହିନ୍ଦ୍ରା ଭଳି ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଯାଇଥିବା ବାଲ୍ଟିରେ ଭର୍ତ୍ତି କରାଯାଇ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼କୁ ଚୋରା ଚାଲାଣ କରାଯାଉଥିଲା ।

ଚଢ଼ାଉ ବେଳେ ପୋଲିସ ୨୫୬ ବସ୍ତା ଭାରତ ୟୁରିଆ, ୪୨୨ଟି ବିଭିନ୍ନ ବ୍ରାଣ୍ଡର ଖାଲି ବାଲ୍ଟି, ୧୯ଟି ପାଣି କଣ୍ଟେନର, ୬ଟି ମୋଟର ଏବଂ ନକଲି ହୋଲୋଗ୍ରାମ ଷ୍ଟିକର ଜବତ କରିଛି । ଏଥି ସହିତ ପରିବହନରେ ବ୍ୟବହୃତ ଦୁଇଟି ବୋଲେରୋ ପିକଅପ୍ ଭ୍ୟାନ୍‌କୁ ମଧ୍ୟ ପୋଲିସ ଜବତ କରିଛି ।

ଏହି ମାମଲାରେ ରାଜସ୍ଥାନ, ଛତିଶଗଡ଼, ବରଗଡ଼, ଅନୁଗୁଳ ଏବଂ ଝାରସୁଗୁଡ଼ା ଅଞ୍ଚଳର ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ମୁକେଶ ଚାନ୍ଦ ଯୋଗୀ, ରାଜ କୁମାର ହେମବ୍ରମ୍, ଅମନ କୁମାର ସିଂ, ବ୍ରିଜଭୂଷଣ ସିଂ, ଜିଆଉଲ ଅନସାରୀ, ଆକାଶ ଅଗ୍ରୱାଲ ଏବଂ ପାର୍ଥ ସାରଥୀ ମିଶ୍ର ଆଦି ସାମିଲ ଅଛନ୍ତି ।

ଝାରସୁଗୁଡ଼ା ପୋଲିସ ପକ୍ଷରୁ ସାଧାରଣ ଜନତା ଏବଂ ଗାଡ଼ି ମାଲିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହିଭଳି ନକଲି ସାମଗ୍ରୀ ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଧିକ ଛାନଭିନ ଜାରି ରଖିଛି ।