ଅଧିକ ସନ୍ତାନ ଜନ୍ମ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ସରକାର
ଅମରାବତୀ(ସଂକେତ ଟିଭି): ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା କମୁଥିବାରୁ ଚନ୍ଦ୍ରବାବୁ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଜନସଂଖ୍ୟା ବୃଦ୍ଧି ପାଇଁ ତୃତୀୟ ଓ ଚତୁର୍ଥ ସନ୍ତାନ ଜନ୍ମ କଲେ ଆର୍ଥିକ ପୁରସ୍କାର ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତୃତୀୟ ସନ୍ତାନ ପାଇଁ ୩୦,୦୦୦ ଟଙ୍କା ଓ ଚତୁର୍ଥ ସନ୍ତାନ ପାଇଁ ୪୦,୦୦୦ ଟଙ୍କା ଦେବେ ସରକାର। ଗତକାଲି (ଶନିବାର) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏନେଇ ଘୋଷଣା କରିଛନ୍ତି।
ଶ୍ରୀକାକୁଲମ୍ ଜିଲ୍ଲାର ନରସନ୍ନାପେଟା ଅଞ୍ଚଳରେ ଆୟୋଜିତ ‘ସ୍ବଚ୍ଛନ୍ଦ୍ର-ସ୍ବର୍ଣ୍ଣନ୍ଧରା’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଜନସଂଖ୍ୟା ହ୍ରାସ ପାଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଛୁଆ କୌଣସି ବୋଝ ହୁଅନ୍ତି, ବରଂ ଦେଶର ସମ୍ପତ୍ତି ଭାବିବା ଉଚିତ୍।” ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସେ ଏହି ନୂଆ ଘୋଷଣା କରିଛନ୍ତି।
ସେ ଆହୁରି କହିଛନ୍ତି, “ଏହା ଉପରେ ଅନେକ ଥର ଚିନ୍ତା କରିଛି। ପୂର୍ବରୁ ପରିବାର ନିୟୋଜନ ଉପରେ କାମ କରୁଥିଲେ। ବର୍ତ୍ତମାନ ସ୍ଥିତି ବଦଳି ଯାଇଛି। ପିଲା ଆମର ସମ୍ପତ୍ତି ଅଟନ୍ତି। ସେମାନଙ୍କ ଭବିଷ୍ୟତ ପାଇଁ କାମ କରିବାକୁ ହେବ। ଏଥିପାଇଁ ନୂଆ ନିଷ୍ପତ୍ତି ନେଇଛି।”
ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୧୬ ମାସ ହେଲା ରାଜ୍ୟ ସରକାର ‘ସ୍ବଚ୍ଛନ୍ଦ୍ର-ସ୍ବର୍ଣ୍ଣନ୍ଧରା’ କାର୍ଯ୍ୟକ୍ରମ କରିଆସୁଛନ୍ତି। ଆବର୍ଜନାରୁ ବିଦ୍ୟୁତ୍ ତିଆରି କରାଯାଉଛି ଏବଂ ଏଥିପାଇଁ ଏକ ପାର୍କ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରେ ଆବର୍ଜନାରୁ ଭଲ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟାନ୍ ହେବା ଆବଶ୍ୟକ,” ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତ ୨୩ ମାସ ମଧ୍ୟରେ ସରକାର ୨୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଛନ୍ତି। ଆଗକୁ ୨୪ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ। ଆମେ ଗୁଗଲକୁ ବିଶାଖାପାଟଣା ଆଣିଛୁ।
