ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଳା ୩୩ ପ୍ଲଟ୍, ୪ ବହୁମହଲା କୋଠା, ଫାର୍ମହାଉସ୍
ଭବାନୀପାଟଣା (ସଂକେତ ଟିଭି): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆର୍ ଆଣ୍ଡ ବି (R&B) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଜଣେ ପ୍ଲଟ୍ ଭୋକିଲା ଯନ୍ତ୍ରୀ। ସେ ଅକ୍ତିଆର କରିଛନ୍ତି ୩୯.୬୪ ଡିସିମିଲ୍ ବିଶିଷ୍ଟ ୩୩ଟି ପ୍ଲଟ୍। ଖାଲି ସେତିକି ନୁହେଁ, ତାଙ୍କର ୪ଟି ବହୁମହଲା କୋଠା, ୯ ଏକର ଉପରେ ବିସ୍ତାରିତ ଗୋଟିଏ ଫାର୍ମ ଘର, ୮ଟି କ୍ୟାବିନ୍ ସହିତ ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ ଆଦି ବି ରହିଛି।
ଏପର୍ଯ୍ୟନ୍ତ ଭିଜିଲାନ୍ସ ଚଢ଼ାଉ ସମୟରେ, ଶ୍ରୀ ଶବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି;
୧। ଭବାନୀପାଟଣା ସହରର ଗୋସାଣିମୁଣ୍ଡାରେ ପ୍ଲଟ୍ ନଂ.୧୪୭୯/୮୪୦୭ ଉପରେ ପ୍ରାୟ ୪୫୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଗୋଟିଏ ଦ୍ୱିତଳ କୋଠା।
୨। ପ୍ରାୟ ୨୬୨୫ ବର୍ଗଫୁଟ କ୍ଷେତ୍ରଫଳ ସହିତ ଗୋଟିଏ ଦ୍ୱିତଳ କୋଠା (କଳାହାଣ୍ଡି ଜିଲ୍ଲା କୋକସରାର କୁସୁମଖୁଣ୍ଟି)।
୩। କୋକସରାର ମୋଟେର ଛକରେ ୪୨୨୮ ବର୍ଗଫୁଟ କ୍ଷେତ୍ରଫଳ ସହିତ ଗୋଟିଏ ଦୁଇ ମହଲା (ନିର୍ମାଣାଧୀନ) କୋଠା।
୪। କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି, କୋକସରାରେ ୧୩୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଆଉ ଏକ ଦୁଇ ମହଲା କୋଠା (ନିର୍ମାଣାଧୀନ)।
୫। କୋକସରାର ମୋଟେର ଛକରେ ୨୨୧୪ ବର୍ଗଫୁଟ କ୍ଷେତ୍ରଫଳ ସହିତ ୮ଟି କ୍ୟାବିନ୍ ଥିବା ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ।
୬। ଭବାନୀପାଟଣା ସହର ନିକଟବର୍ତ୍ତୀ କିଟପଦରରେ ୯ ଏକର ଜମିରେ ବିସ୍ତାରିତ ଗୋଟିଏ ଫାର୍ମ ହାଉସ।
୭। ଭବାନୀପାଟଣା ଏବଂ କୋକସରା ଉପକଣ୍ଠରେ ୩୯.୬୪ ଡିସିମିଲ୍ ଆକାରରେ ୩୩ଟି ପ୍ଲଟ୍। (ଯଥା: ତାଲାବେଲାଗାଁ, କୁଟେନପଦର, ଦ୍ୱାରସୁନି, କିଟପଦର ଆଦି ସ୍ଥାନରେ ୧.୮୦ ଡିସିମିଲ୍, ୨୦.୯ ଡିସିମିଲ୍, ୦.୦୮ ଡିସିମିଲ୍ ଆଦି ଜମି ଖଣ୍ଡ)
୮। ବ୍ୟାଙ୍କ, ଡାକ ଜମା ଏବଂ ଆର୍ଥିକ ଓ ଅନ୍ୟାନ୍ୟ ନିବେଶ (ନିର୍ଣ୍ଣୟ କରାଯାଉଛି)।
୯। ୧ (ଏକ) ଚାରିଚକିଆ ଯାନ (ହୁଣ୍ଡାଇ କ୍ରେଟା)।
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ବିଳାସପୂର୍ଣ୍ଣ ଫାର୍ମ ହାଉସ ଦେଖି ଛାନିଆ ଭିଜିଲାନ୍ସ ଟିମ୍। ଆଜି ସକାଳୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
ଆୟବହିର୍ଭୂତ ଠୁଳ ଅଭିଯୋଗରେ ଭିଜିଲାନ୍ସର ୬ ଟି ଟିମ୍ ଭବାନୀପାଟଣା ବ୍ଲକ୍ ଗୋଷାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ବାସଭବନ, ଦୁଆରସୁନି ଠାରେ ଥିବା ଘର, ଏକ ନିର୍ମାଣାଧୀନ କୋଠା, କିଟ୍ ପଦର ଠାରେ ଥିବା ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ସମେତ ଧର୍ମଗଡ଼ ଏବଂ ଭବାନୀପାଟଣା ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି। ଭିଜିଲାନ୍ସ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରୁଛି।
ଏହି ଚଢ଼ାଉରେ ୬ (ଛଅ) ଜଣ ଡିଏସପି ଓ ୯ (ନଅ) ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ତେବେ ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
