କ୍ବାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀରେ ଆରମ୍ଭ
ନୂଆଦିଲ୍ଲୀ(ସଂକେତ ଟିଭି): ସାରା ବିଶ୍ବରେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତରେ କ୍ବାଡ୍ (Quad) ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଉଚ୍ଚ-ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମଜବୁତ ସହଭାଗିତା ପାଇଁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଜାରି ରହିଛି।
ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ Quad ବୈଠକରେ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା, ଯୋଗାଣ ଶୃଙ୍ଖଳା, ବିରଳ ଖଣିଜ ପଦାର୍ଥ, ଭିତ୍ତିଭୂମି, ପାଣିପାଗ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଓ ବିପର୍ଯ୍ୟୟରେ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା ହେବ। ଏହା ବ୍ୟତୀତ ଆଞ୍ଚଳିକ ଭୂ-ରାଜନୀତିରେ ବିକାଶ, ସାରା ବିଶ୍ବରେ ଅସ୍ଥିରତା ବିଶେଷ କରି ୟୁକ୍ରେନ ଓ ପଶ୍ଚିମ ଏସିଆ ଆଦି ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି।
“ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର ପାଇଁ Quad ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି, ମନ୍ତ୍ରୀମାନେ ୧ ଜୁଲାଇ ୨୦୨୫ ରେ ୱାଶିଂଟନ ଡିସିରେ ଅନୁଷ୍ଠିତ ହୋଇଥିବା ଆଲୋଚନାକୁ ଆଗକୁ ବଢାଇବେ। ସେମାନେ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ Quad ସହଯୋଗକୁ ଆଗକୁ ବଢ଼ାଇବା, ଚାଲୁଥିବା Quad ପଦକ୍ଷେପର ପ୍ରଗତି ସମୀକ୍ଷା କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ସାମ୍ପ୍ରତିକ ବିକାଶ ସହିତ ପାରସ୍ପରିକ ସମସ୍ୟା ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତାମତ ଆଦାନପ୍ରଦାନ କରିବେ,” ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି।
Quad ବୈଠକ ଆଗରୁ ସୋମବାର ଏସ୍ ଜୟଶଙ୍କର ଜାପାନ ବୈଦେଶିକ ମନ୍ତ୍ରୀ ମୋଟେଗୀଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ। ଏଥିରେ ଭାରତ-ଜାପାନ ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବ୍ୟାପାର ଉପରେ ଆଲୋଚନା ହୋଇଥିଲା। “ଭାରତ ଏବଂ ଜାପାନ ମଧ୍ୟରେ ନିଶ୍ଚିତ ଭାବେ ଆମର ଏକ ବିଶେଷ ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତା ରହିଛି। ଏଥିରୁ ସ୍ପଷ୍ଟ ଯେ ଆମର ସମ୍ପର୍କର ଏକ ବୃହତ ପ୍ରଭାବ, ବୃହତ ଗୁରୁତ୍ୱ ରହିଛି। ଏହାର ଏକ ଉଦାହରଣ ସ୍ବରୁପ ଆସନ୍ତାକାଲି Quad ବୈଠକରେ ଆମେ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରକୁ କିପରି ଆଗକୁ ବଢାଯାଇପାରିବ ସେ ବିଷୟରେ ଆଲୋଚନା କରିବୁ,” ବୋଲି ବୈଠକରେ ଏସ୍ ଜୟଶଙ୍କର କହିଛନ୍ତି।
୩ ଦେଶର ବୈଦେଶିକ ମନ୍ତ୍ରୀ ଓ ସଚିବଙ୍କ ଭାରତ ଗସ୍ତ ସମୟରେ ଅଷ୍ଟ୍ରେଲିଆ ଓ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସମେତ ଆମେରିକର ବୈଦେଶିକ ସଚିବ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ଦ୍ବିପାକ୍ଷୀକ ବୈଠକରେ ଅଂଶଗ୍ରହଣ କରିବାର ଯୋଜନା ରହିଛି। ଆଜି (ମଙ୍ଗଳବାର) ଜାପାନ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
୨୦୨୩ ମସିହା ପରେ ଏହି ବୈଠକ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ, ଜାପାନ ବୈଦେଶିକ ମନ୍ତ୍ରୀ ତୋସିମିତ୍ସୁ ମୋଟେଗୀ ଓ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ମଧ୍ୟ ଯୋଗ ଦେବେ। Quad ଦେଶମାନଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହା ପରେ ଦେଶ ଗୁଡିକ ମଧ୍ୟରେ ଅର୍ଥନୈତିକ ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତା ଉପରେ ବିଶେଷ ଧ୍ୟାନ ଦିଆଯିବାର ସମ୍ଭାବନା ରହିଛି।
