BusinessFeaturedGeneralLatest

ପୁଣି ବଢ଼ିଲା ସିଏନଜି ଦର, କେଜି ପିଛା ୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ(ସଂକେତ ଟିଭି): ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ପୁଣି ବଢ଼ିଲା CNG ଦର । ଦିଲ୍ଲୀ-ଏନସିଆରରେ ମଙ୍ଗଳବାର CNG ଦର କେଜି ପିଛା ୨ ଟଙ୍କା ବୃଦ୍ଧି ଘଟିଛି । ଏହାକୁ ମିଶାଇ ଦୁଇ ସପ୍ତାହରେ ଚତୁର୍ଥ ଥର ପାଇଁ ଦର ବୃଦ୍ଧି ହୋଇଛି ।

ଗ୍ୟାସ ବିତରକ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (IGL) ସିଏନଜି ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି । IGL ସୂଚନା ଅନୁଯାୟୀ, ଦିଲ୍ଲୀରେ ଦର ବୃଦ୍ଧି ପରେ ସିଏନଜି କେଜି ପିଛା ଦର ୮୧.୦୯ ପଇସାରୁ ବୃଦ୍ଧି ପାଇ ୮୩.୦୯ ଟଙ୍କା ହୋଇଛି ।

ଏନସିଆରରେ ଦର ବୃଦ୍ଧି ପରେ ଏବେ ନଏଡା, ଗାଜିଆବାଦ, ଗ୍ରେଟର ନଏଡାରେ ଗ୍ରାହକଙ୍କୁ ସିଏନଜି କେଜି ପିଛା ୯୧.୭୦ ଟଙ୍କା ଦେବାକୁ ପଡ଼ିବ । ଅନ୍ୟପକ୍ଷେ ଗୁରୁଗ୍ରାମରେ ଦରବୃଦ୍ଧି ପରେ ସିଏନଜି କେଜି ପିଛା ଦର ୮୮.୧୨, ଆଜମେରରେ ୯୨.୪୪ ହୋଇଛି ।

ଶନିବାର ଦିନ ସିଏନଜି ଦର କିଲୋ ପିଛା ଟଙ୍କାଟିଏ ବଢ଼ିବା ପରେ ପୁଣି ଆଜି ଦର ବୃଦ୍ଧି ସିଏନଜି ଗ୍ରାହକଙ୍କ ପକେଟକୁ ବାଧିଛି । ଲଗାତର ଏପରି ଦର ବୃଦ୍ଧି ସିଏନଜି ଚାଳିତ ଗାଡ଼ି ଚାଳକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶେଷ କରି ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ସିଟି ଯେଉଁଠି ସାଧାରଣ ପରିବହନ, ଟାକ୍ସି, ବ୍ୟବସାୟିକ ଗାଡ଼ି ସିଏନଜି ଉପରେ ନିର୍ଭର କରିଥାନ୍ତି, ସେଠାରେ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭାରତରେ ତୈଳ ଦର ସାଧାରଣତଃ ଅଶୋଧିତ ତୈଳ, ଗ୍ୟାସ ଦର, ବିନିମୟ ଦର ତଥା ସ୍ଥାନୀୟ ଟିକସ ଆଧାରରେ ସଂଶୋଧିତ ହୋଇଥାଏ । ମଧ୍ୟ ପ୍ରାଚ୍ୟରେ ଦେଖା ଦେଇଥିବା ଯୁଦ୍ଧ ସ୍ଥିତି ଯୋଗୁ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖା ଦେଇଛି । ସିଏନଜି, ପେଟ୍ରୋଲ ତଥା ଡିଜେଲର ଦର ଲଗାତାର ବୃଦ୍ଧି ପରିବହନ ଉପରେ ପ୍ରଭାବ ପକାଇଥାଏ । ଏଥିସହିତ ତୈଳଦର ବୃଦ୍ଧି ବଜାରରେ ଦରଦାମ ବୃଦ୍ଧିର କାରଣ ମଧ୍ୟ ହୋଇଥାଏ ।

ପେଟ୍ରୋଲିୟମ ମନ୍ତ୍ରାଳୟର ସଂଯୁକ୍ତ ସଚିବ ସୁଜାତା ଶର୍ମାଙ୍କ କହିବା ଅନୁସାରେ, କେନ୍ଦ୍ର ସରକାର କହିଛନ୍ତି ଯେ ଇନ୍ଧନ ମୂଲ୍ୟବୃଦ୍ଧିର ପ୍ରଭାବରୁ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ସରକାର ପ୍ରାୟ ୧୪ ହଜାର କୋଟିର ଟିକସ ରାଜସ୍ୱ ହରାଇଛନ୍ତି ।