CulturalFeaturedLatestNews

ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିରର ନବୀକରଣ କାର୍ଯ୍ୟ

ପୁରୀ (ସଂକେତ ଟିଭି): ନିଳାଦ୍ରୀ ବିଜେ ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ ଅନୁଯାୟୀ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବ। ଏନେଇ ବିଭିନ୍ନ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗୁଣ୍ଡିଚା ମନ୍ଦିର ଯାଇ ସମସ୍ତ ମରାମତି କାର୍ଯ୍ୟ ଏବଂ ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଏବଂ ଶରଧାବାଲି ଅଞ୍ଚଳରେ ଅନେକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି।

ସୂଚନା କେନ୍ଦ୍ର, ଅଭ୍ୟର୍ଥନା କେନ୍ଦ୍ର, ଲ୍ୟାଣ୍ଡ ସ୍କେପିଙ୍ଗ, ଆଲୋକୀକରଣ ଆଦି କାର୍ଯ୍ୟ କରାଯାଇଥିବା ବେଳେ ବାକି ଥିବା ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵର ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ସେହିପରି ଗୁଣ୍ଡିଚା ମନ୍ଦିର ଭିତରେ ରୋଷ ଶାଳାର ମରାମତି ସହ ନାଟମଣ୍ଡପର ମରାମତି କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆଗାମୀ ଦିନରେ ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବ।

ଗୁଣ୍ଡିଚା ମନ୍ଦିର ଭିତରେ ଏକ ସୁନ୍ଦର ଉଦ୍ୟାନ କରାଯାଉଥିବା ବେଳେ ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା, ରାମ୍ପ, ସିସିଟିଭି ସମେତ ସମସ୍ତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି।

ସେପଟେ ରଥଯାତ୍ରା ୟୁନେସ୍କୋ ମାନ୍ୟତା ମିଳିବାର ବିଳମ୍ବ ହେବା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ପୁରୀ ରଥଯାତ୍ରା କୁ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଇତିମଧ୍ୟରେ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ରଥଯାତ୍ରା ସମ୍ପର୍କିତ ସମସ୍ତ ଭିଡ଼ିଓ, ଫଟୋ, ଦସ୍ତାବିଜ ବା ଦଲିଲ, ଗବେଷକଙ୍କ ମତାମତ, ଗଜପତି ମହାରାଜାଙ୍କ ବାର୍ତ୍ତା ସବୁକୁ କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀକୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପ୍ୟାରିସରେ ହେବାକୁ ଥିବା ୟୁନେସ୍କୋ ବୈଠକରେ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରଦାନ ନେଇ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ସୁପାରିସ ଆଧାରରେ ମହାପ୍ରଭୁଙ୍କ ଐତିହାସିକ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ୟୁନେସ୍କୋ ପକ୍ଷରୁ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି।

ସେପଟେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ନାମକରଣକୁ ଜିଆଇ ଟ୍ୟାଗ ମିଳିବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେନ୍ନାଇରେ ଥିବା ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଆବେଦନ କରାଯାଇଛି। ଏଣୁ ଆଗାମୀ ଦିନରେ ଜିଆଇ ଟ୍ୟାଗ ମିଳିବାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଆମେ ଆଶା ରଖିଛୁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।