ପୋଲିସର ଥାର୍ଡ ଡିଗ୍ରୀ ବିରୋଧରେ ଗ୍ରାମବାସୀଙ୍କ ଥାନା ଘେରାଉ, ରାସ୍ତାରୋକ
କଟକ (ସଂକେତ ଟିଭି): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଚଣ୍ଡୀପ୍ରସାଦ ଗ୍ରାମରେ ପୋଲିସର ଥାର୍ଡ ଡିଗ୍ରୀ ଯନ୍ତ୍ରଣା ବିରୋଧରେ ଗ୍ରାମବାସୀ ଗର୍ଜନ କରିଛନ୍ତି। ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀ ବାରଙ୍ଗ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ଭୁବନେଶ୍ୱର-କଟକ ମୁଖ୍ୟ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା ଏବଂ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା।
ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରା ନାମକ ଯୁବକଙ୍କ ଥାର୍ଡ ଡିଗ୍ରୀରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ପାଇ ଶହଶହ ମହିଳା ଓ ପୁରୁଷ ଏକାଠି ହୋଇଥିଲେ। ପୁଲିସ ପକ୍ଷରୁ କୁହାଯାଇଛି ଯେ ରାକେଶ ଜୀବିତ ଏବଂ ଚିକିତ୍ସାଧୀନ। ପୁଲିସ ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ବୁଝିବାକୁ ରାଜି ନୁହଁନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ରାକେଶଙ୍କ ପରିବାର ଲୋକେ ଓ ଗ୍ରାମବାସୀ କଟକ ବଡ଼ ଡାକ୍ତରଖାନାକୁ ଯାଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ରାକେଶ ବେହେରାଙ୍କ ସ୍ତ୍ରୀ ନିଖୋଜ ହୋଇଥିଲେ। ୧୬ ତାରିଖରେ ସେ ଥାନାରେ ଅଭିଯୋଗ କରିଥିଲେ। ୨୨ ତାରିଖରେ ପାଟପୁର ନିକଟ କାଠଯୋଡ଼ି ନଦୀ ବାଲିରେ ପୋତାଯାଇଥିବା ଜଣେ ମହିଳାଙ୍କର ଶବ ଉଦ୍ଧାର ହୋଇଥିଲା। ଏହି ଶବ ରାକେଶଙ୍କ ସ୍ତ୍ରୀର ବୋଲି ସନ୍ଦେହ କରି ପୁଲିସ ତାଙ୍କୁ ଡାକି ପଚରାଉଚରା କରିଥିଲା। ଶବଟି ତାଙ୍କ ସ୍ତ୍ରୀର ନୁହେଁ ବୋଲି ରାକେଶ ବାରମ୍ବାର କହୁଥିଲେ। କିନ୍ତୁ ଚାରିଦିନ ଧରି ଅଟକ ରଖି ତାଙ୍କୁ ନିସ୍ତୁକ ପିଟି ଗୁରୁତର କରାଯାଇଥିବା ଅଭିଯୋଗ ହୋଇଛି।
ରାକେଶଙ୍କ ସ୍ତ୍ରୀ ଅନ୍ୟତ୍ର ଥିବା ସୂଚନା ମିଳିବା ପରେ ମଧ୍ୟ ପୁଲିସ ତାଙ୍କୁ ଛାଡ଼ିନଥିଲା। ଏପରିକି ମୃତଦେହ ସହ ମିଳିଥିବା ଶାଢ଼ି, ଚୁଡ଼ି ତାଙ୍କ ସ୍ତ୍ରୀ ସହ ମେଳ ଖାଉ ନଥିବା ସେ କହୁଥିଲେ। ରାକେଶଙ୍କ ମାତା ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ ପୁଅକୁ ବେଆଇନ ଭାବେ ଅଟକ ରଖି ମାଡ଼ ମାରିଛି। ଗ୍ରାମବାସୀ ରାକେଶଙ୍କୁ ତୁରନ୍ତ ପରିବାରକୁ ହସ୍ତାନ୍ତର କରିବା ଦାବିରେ ଅନ୍ତିମ ସମୟରେ ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ କମିଶନର ଓ ଡିସିପି ପହଞ୍ଚି ପରିସ୍ଥିତି ଶାନ୍ତ କରିଥିଲେ। ରାକେଶ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
