୩ ମାସ ଭିତରେ ରାୟ ଦିଅନ୍ତୁ ସବୁ ହାଇକୋର୍ଟ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ(ସଂକେତ ଟିଭି): ନ୍ୟାୟ ଶୁଣାଣିରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସଂରକ୍ଷଣ କରିବାର ତିନିମାସ ଭିତରେ ମାମଲାର ରାୟ ଘୋଷଣା କରିବା ପାଇଁ ଶୁକ୍ରବାର ସବୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାୟ ଶୁଣାଣିରେ ବିଳମ୍ବ ଆବେଦନକାରୀଙ୍କର ଅପୂରଣୀୟ କ୍ଷତି ଘଟାଇଥାଏ ଯାହା ଭରଣା କରାଯାଇ ପାରିବ ନାହିଁ। ବିଶେଷ କରି ବ୍ୟକ୍ତିଗତ ସ୍ୱାଧୀନତା ସହ ଜଡିତ ମାମଲାରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଖଣ୍ଡପୀଠ ଜୋର ଦେଇଛନ୍ତି।
ଖଣ୍ଡପୀଠ କହିଛନ୍ତି, ଯେଉଁ ମାମଲାରେ ରାୟ ସଂରକ୍ଷିତ ରଖାଯାଉଛି, ସେଠାରେ ହାଇକୋର୍ଟ ସଂରକ୍ଷିତ ତାରିଖଠାରୁ ତିନି ମାସ ଭିତରେ ଯୁକ୍ତିଯୁକ୍ତ ରାୟ ପ୍ରକାଶ କରିବାକୁ ଚେଷ୍ଟା କରିବେ। ସେହିପରି ଜାମିନ ଆବେଦନର ନିର୍ଦ୍ଦେଶ ସେହିଦିନ ଘୋଷଣା କରାଯିବା ଦରକାର। ଯଦି ସଂରକ୍ଷିତ ରଖାଯାଏ, ତେବେ ସେଗୁଡ଼ିକୁ ପରଦିନ ଘୋଷଣା ଓ ଅପଲୋଡ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।
ସେହିପରି ଜାମିନ କିମ୍ବା ଦଣ୍ଡାଦେଶ ସ୍ଥଗିତ ରଖିବାର ନିର୍ଦ୍ଦେଶ ଜେଲ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଘୋଷଣା ହେବା ମାତ୍ରେ ଜଣାଇ ଦେବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ବିଚାରାଧୀନ କିମ୍ବା ଦଣ୍ଡପ୍ରାପ୍ତ ବ୍ୟକ୍ତିଙ୍କୁ ସେହିଦିନ କିମ୍ବା ପରଦିନ ମୁକ୍ତ କରାଯିବା ଉଚିତ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଯଦି କୌଣସି ଫୌଜଦାରୀ ଆବେଦନ କିମ୍ବା ମୃତ୍ୟୁ ଦଣ୍ଡ ରାୟ ସଂରକ୍ଷିତ ରଖାଯାଏ ଏବଂ ଆବେଦନକାରୀ ହେପାଜତରେ ଥାଆନ୍ତି, ତେବେ ରାୟ ସଂରକ୍ଷିତ ହେବାର ୭ ଦିନ ଭିତରେ ଖଣ୍ଡପୀଠ ପକ୍ଷମାନଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ି ପାରିବେ। ସଂରକ୍ଷଣ ତାରିଖରୁ ଗୋଟିଏ ମାସ ପରେ ସ୍ପଷ୍ଟୀକରଣ ଲୋଡ଼ିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଯଦି ଖଣ୍ଡପୀଠ ଅନୁଭବ କରିବେ ଯେ ଯୁକ୍ତିଯୁକ୍ତ ରାୟ ଘୋଷଣା କରିବାରେ କୌଣସି ବିଳମ୍ବ ପକ୍ଷମାନଙ୍କୁ କଷ୍ଟ ଦେଇପାରେ ଏବଂ ଜରୁରୀ ନିର୍ଦ୍ଦେଶ ଆବଶ୍ୟକ, ତେବେ ନିଷ୍ପତ୍ତିର ମୁଖ୍ୟ ଅଂଶ କୋର୍ଟରେ ଘୋଷଣା କରିପାରିବେ। ତେବେ ୭ ଦିନ ଭିତରେ କିମ୍ବା ଅତିବେଶିରେ ୧୫ ଦିନ ଭିତରେ କାରଣ ସହିତ ସମ୍ପୂର୍ଣ୍ଣ ରାୟ ଅପଲୋଡ କରାଇ ଦେବା ଦରକାର।
ଏହି ମାମଲା ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗ ସହ ସମ୍ପର୍କ ରଖିଥିବା ୪ ଜଣ ଅଭିଯୁକ୍ତଙ୍କ ପକ୍ଷରୁ ଦାଏର କରାଯାଇଥିବା ମାମଲା ସହ ଜଡ଼ିତ। ଏହି ଅଭିଯୁକ୍ତମାନେ ଅଭିଯୋଗ ଆଣିଥିଲେ ଯେ, ଝାଡ଼ଖଣ୍ଡ ହାଇକୋର୍ଟରେ ୨୦୨୨ରେ ସଂରକ୍ଷିତ ସେମାନଙ୍କର ଫୌଜଦାରୀ ଆବେଦନ ୨ରୁ ୩ ବର୍ଷ ଧରି ପଡ଼ି ରହିଛି। ଆବେଦନକାରୀମାନେ ଯୁକ୍ତି ଦର୍ଶାଇଥିଲେ ଯେ, ଏପରି ବିଳମ୍ବ ସମ୍ବିଧାନର ଧାରା ୨୧ ଅନୁଯାୟୀ ସେମାନଙ୍କର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ଉଲ୍ଲଂଘନ କରୁଛି।
