FeaturedHealthLatestNews

ଆଡମିଟ୍ ହେବାର ୩ ଦିନ ପୂର୍ବରୁ ହେଉଥିବା ସବୁ ଟେଷ୍ଟ ଆୟୁଷ୍ମାନରେ ଅନ୍ତର୍ଭୁକ୍ତ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ, ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ। ଏହି ନିର୍ଦ୍ଦେଶ ପାଳନ ନକଲେ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସମସ୍ତ ଘରୋଇ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଗିଦ କରାଯାଇଛି। ଉଲ୍ଲଂଘନ ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଅନେକ ହସ୍ପିଟାଲ ପ୍ରି-ଆଡମିସନ ଟେଷ୍ଟକୁ ଆୟୁଷ୍ମାନ ଅଧୀନରେ ଅନ୍ତର୍ଭୁକ୍ତ କରୁନଥିଲେ। ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଏଭଳି ଅଭିଯୋଗ ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ବୈଠକ ଡାକି ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।

ଏହାସହ, ହସ୍ପିଟାଲ କର୍ମଚାରୀମାନେ ରୋଗୀ ଓ ସମ୍ପର୍କୀୟମାନଙ୍କୁ ଉତ୍ତମ ବ୍ୟବହାର, ଉତ୍ତମ ଚିକିତ୍ସା ଦେବେ ଏବଂ କୌଣସି ଅଭିଯୋଗ ଆସିବ ନାହିଁ ତାହା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି।