ସାରା ରାଜ୍ୟରେ ସୁଲଭ ଗୃହ ପ୍ରକଳ୍ପକୁ ବ୍ୟାପକ ସମ୍ପ୍ରସାରଣ କରିବ ଗୃହ ନିର୍ମାଣ ବୋର୍ଡ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ସମ୍ପ୍ରତି ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ।
ଏନେଇ ଆଜି (ରବିବାର) ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା।
ବୋର୍ଡର ଅଗ୍ରଗତି ଏବଂ ଆଗାମୀ ରୋଡମ୍ୟାପ୍ ଉପସ୍ଥାପନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏସ୍ ଏଚ୍ ବିର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ନାୟକ ବୈଠକରେ ସୂଚନା ଦେଇ କହିଛନ୍ତି, ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୩୨,୩୪୩ଟି ଗୃହ, ଦୋକାନ ଗୃହ ଏବଂ ପ୍ଲଟ୍ ବିକଶିତ କରାଯାଇଛି। ଏହା ଆର୍ଥିକ ଅନଗ୍ରସର, ନିମ୍ନ ଆୟ, ମଧ୍ୟମ ଆୟ ଏବଂ ଉଚ୍ଚ ଆୟ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ପୂରଣ କରୁଛି। କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାରରୁ ଅଧିକ ୟୁନିଟ୍ ବିକଶିତ କରାଯାଇଛି।
ସମୀକ୍ଷା ଅନୁସାରେ, ବର୍ତ୍ତମାନ ୫୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୧୪୮୪ଟି ଆବାସିକ ୟୁନିଟ୍ ସମ୍ବଳିତ ୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି।
- ଖାରବେଳ ଏନକ୍ଲେଭ, ଜାଗମରା, ଭୁବନେଶ୍ୱର: ୬୨.୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୪ଟି ଉଚ୍ଚ ଆୟକାରୀ (ଏଚ୍ ଆଇ ଜି) ଆପାର୍ଟମେଣ୍ଟ ବିଶିଷ୍ଟ ଏହି ପ୍ରକଳ୍ପ ହସ୍ତାନ୍ତର ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୩୦ ଜଣ ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ହସ୍ତାନ୍ତର କରାଯାଇଛି।
- ଅନୁଗୁଳ ଏନକ୍ଲେଭ: ୧୪.୫୫ କୋଟି ଟଙ୍କା ବିନିଯୋଗରେ ୬୧୩ଟି ଆବାସିକ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିମଧ୍ୟରୁ ୨୨୮ଟି ୟୁନିଟ୍ ନିର୍ମାଣ ଶେଷ ହୋଇଥିବା ବେଳେ ଡିସେମ୍ବର ୨୦୨୬ ସୁଦ୍ଧା ଏହାର ପୋଜେସନ (ଦଖଲ) ମିଳିବ ବୋଲି ଆଶା କରାଯାଉଛି। ବାକି ୟୁନିଟ୍ ଗୁଡ଼ିକ ଡିସେମ୍ବର ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ସୁଭଦ୍ରା ଏନକ୍ଲେଭ, ଡୁମୁଡୁମା, ଭୁବନେଶ୍ୱର: ୭୩.୪୦ କୋଟି ଟଙ୍କା ବ୍ୟୟରେ ଇଡବ୍ଲୁଏସ୍, ଏଲ୍ ଆଇ ଜି ଓ ଏମ୍ ଆଇ ଜି ହିତାଧିକାରୀଙ୍କ ପାଇଁ ୧୯୮ଟି ଗୃହ ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ଆଗେଇ ଚାଲିଛି।
- ବାସୁଦେବ ବିହାର ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍, ଅନ୍ଧାରୁଆ: ୨୭.୨୭ କୋଟି ଟଙ୍କା ବ୍ୟୟରେ ୨୦୬ଟି ଆବାସିକ ପ୍ଲଟ ପ୍ରଦାନ କରାଯିବ। ଜୁଲାଇ ୨୦୨୬ରୁ ଏହାର ପୋଜେସନ ପ୍ରକ୍ରିୟା ଆରମ୍ଭ ହେବ।
- ଗାଡ଼କଣ ଗୃହ ନିର୍ମାଣ ପ୍ରକଳ୍ପ, ଭୁବନେଶ୍ୱର: ୧୮୯.୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୩୩ଟି ଆବାସିକ ୟୁନିଟ୍ ସହ ବ୍ୟବସାୟିକ କ୍ଷେତ୍ର ଉପଲବ୍ଧ ହେବ। ବୈଧାନିକ ମଞ୍ଜୁରି ଏବଂ ଓରେରା ପଞ୍ଜୀକରଣ ଶେଷ ହେବା ପରେ ଜୁଲାଇ ୨୦୨୬ରେ ଏହାର ଶୁଭାରମ୍ଭ କରାଯିବ।
ସମୀକ୍ଷା ବୈଠକରେ ବୋର୍ଡର ଆର୍ଥିକ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଓଏସ୍ ଏଚ୍ ବି ଏକ ଋଣମୁକ୍ତ ସଂସ୍ଥା ଭାବେ ଉଭା ହୋଇଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ବୋର୍ଡ ୧୮.୪୦ କୋଟି ଟଙ୍କାର ବଳକା ଲାଭ ରେକର୍ଡ କରିଥିବା ବେଳେ ଆର୍ଥିକ ବର୍ଷ ୨୦୨୫-୨୬ରେ ଅସ୍ଥାୟୀ ଭାବେ ୨୫.୫୦ କୋଟି ଟଙ୍କାର ବଳକା ଲାଭ କରିଛି। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ବୋର୍ଡ ପାଖରେ ୩୭.୪୨ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି।
