ଲକ୍ଷ୍ମୀ ବସ୍ ଓ ଆମ ବସଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର
ଭୁବନେଶ୍ୱର (ସଂକେତ ଟିଭି): ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର। ଏହି ଯୋଜନାରେ ଟଙ୍କା ବ୍ୟୟକୁ ନେଇ ତଦନ୍ତ ହେବ। ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି ଏବଂ ମାଗଣା ଯାତ୍ରା ବାବଦରେ ତଥ୍ୟ ମଗାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମଗାଯାଇଛି। ଯୋଜନାର ବିଭିନ୍ନ ଦିଗକୁ ନେଇ ଆକାଉଣ୍ଟାଣ୍ଟ ଜେନେରାଲ୍ ପ୍ରଶ୍ନ ଉଠାଇଛନ୍ତି।
ଗତ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା LAccMI, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍ ସେବା (MBS) ଏବଂ ଆମ ବସ୍ଷ୍ଟାଣ୍ଡ ଯୋଜନାରେ ଅର୍ଥ ବ୍ୟୟ ଓ ପ୍ରଶାସନିକ ପରିଚାଳନାକୁ ନେଇ ଆକାଉଣ୍ଟାଣ୍ଟ ଜେନେରାଲ୍ (ଅଡିଟ୍-୨), ଓଡ଼ିଶା ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗକୁ ପଠାଯାଇଥିବା ଏକାଧିକ ଅଡିଟ୍ ଅବଜେକ୍ସନ୍ ପତ୍ରରେ ୨୦୨୩-୨୪ ଠାରୁ ୨୦୨୫-୨୬ ମଧ୍ୟରେ LAccMI/MBS ଯୋଜନା ପାଇଁ ମୋଟ ୨୮୦୬ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। କିନ୍ତୁ ତାହାର ବଡ଼ ଅଂଶ ବର୍ଷ ଶେଷ ପର୍ଯ୍ୟନ୍ତ ବ୍ୟୟ ହୋଇନଥିଲା।
ଅଡିଟ୍ ତଥ୍ୟ ଅନୁସାରେ, ୨୦୨୩-୨୪ରେ ୧୫୩.୫୬ କୋଟି, ୨୦୨୪-୨୫ରେ ୩୬୯.୧୮ କୋଟି ଓ ୨୦୨୫-୨୬ରେ ୪୭୮.୩୬ କୋଟି ଟଙ୍କା ଅବ୍ୟବହୃତ ରହିଥିଲା। ଏହି ଅର୍ଥ କାହିଁକି ବ୍ୟୟ ହୋଇପାରିଲା ନାହିଁ ଏବଂ ପୂର୍ବରୁ ପ୍ରଦାନ କରାଯାଇଥିବା ଅର୍ଥ ବ୍ୟବହାର ନହେବା ସତ୍ତ୍ୱେ କିପରି ଅଧିକ ଅର୍ଥ ପ୍ରଦାନ କରାଯାଇଛି, ସେନେଇ ବିଭାଗରୁ ସ୍ପଷ୍ଟୀକରଣ ମଗାଯାଇଛି।
ଅଡିଟ୍ ରିପୋର୍ଟରେ ଓଏସଆରଟିସି (OSRTC) ଦ୍ୱାରା ନିର୍ଦ୍ଧିଷ୍ଟ ସମୟ ବ୍ୟୟ ବିବରଣୀ ଓ ୟୁସି ଦାଖଲ ନକରାଯାଇଥିବା କଥା ଉଠାଯାଇଛି। ୨୦୨୪-୨୫ର ତୃତୀୟ ତ୍ରୟମାସିକ ପରଠାରୁ ଖର୍ଚ୍ଚ ବିବରଣୀ ଦିଆଯାଇନଥିବା ନେଇ ଅଡିଟ୍ ଆପତ୍ତି ଜଣାଇଛି।
ସେହିପରି LAccMI ଯୋଜନା ପାଇଁ ପରାମର୍ଶଦାତା ଭାବେ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍ ମଲ୍ଟିମୋଡାଲ୍ ଟ୍ରାନ୍ସିଟ୍ ସିଷ୍ଟମ୍ (DIMTS) କୁ ନିଯୁକ୍ତି ଦେବା ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ୨୦୨୩ ଅକ୍ଟୋବରରେ ଛଅ ମାସ ପାଇଁ ପ୍ରତିମାସ ୨.୧୪ କୋଟି ଟଙ୍କା ଫି’ରେ DIMTS କୁ ନିଯୁକ୍ତ କରାଯାଇଥିଲା ଓ ପରେ ଏହାକୁ ଆଉ ଛଅ ମାସ ବଢ଼ାଯାଇଥିଲା। ଅଡିଟ୍ ପକ୍ଷରୁ ପଚରାଯାଇଛି ଯେ, DIMTS ଚୟନ ପୂର୍ବରୁ EOI କିମ୍ବା ବଜାର ସର୍ଭେ କରାଯାଇଥିଲା କି ନାହିଁ। କମ୍ପାନୀର କାର୍ଯ୍ୟଦକ୍ଷତା ଆଲୋଚନା ରିପୋର୍ଟ ଓ ପରାମର୍ଶଦାତାଙ୍କ ଯୋଗ୍ୟତା ବିବରଣୀ ମଧ୍ୟ ମାଗାଯାଇଛି।
ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ନେଇ ମଧ୍ୟ ଅଡିଟ୍ ତଥ୍ୟ ଚାହିଁଛି। ପୂର୍ବରୁ ୫୦ ପ୍ରତିଶତ ରିହାତି ଥିବାବେଳେ ୨୦୨୫ ଡିସେମ୍ବରରେ ଏହାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଥିଲା। ଛାତ୍ରଙ୍କ ସତ୍ୟତା ଯାଞ୍ଚ ପାଇଁ କଣ ବ୍ୟବସ୍ଥା ରହିଛି, କେତେ ରାଜସ୍ୱ କ୍ଷତି ହୋଇଛି ଓ ସେଥିପାଇଁ କେତେ ଅର୍ଥ ମୁକ୍ତି ହୋଇଛି, ସେନେଇ ମାସିକ ଓ ତ୍ରୟମାସିକ ରିପୋର୍ଟ ମାଗାଯାଇଛି।
ଆମ ବସ୍ଷ୍ଟାଣ୍ଡ (ଅଟଳ ବସ୍ଷ୍ଟାଣ୍ଡ) ଯୋଜନାରେ ନିର୍ମାଣ, ଅପରେସନ୍ ଓ ମେଣ୍ଟେନାନ୍ସ ପାଇଁ କେତେ ଅର୍ଥ ପ୍ରଦାନ ହୋଇଛି, କେତେ ବ୍ୟୟ ହୋଇଛି ଓ କେତେ ଅବଶିଷ୍ଟ ରହିଛି, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଅଡିଟ୍ ଚାହିଁଛି। ଯୋଜନାର ଅର୍ଥ ଅନ୍ୟ କାମରେ ବ୍ୟୟ ହୋଇଥିବା ଅଭିଯୋଗ ଥିଲେ ତାହାର ବିବରଣୀ ଦେବାକୁ କୁହାଯାଇଛି। ଏଥିସହିତ LAccMI ଅଧୀନରେ ଜଳ ପରିବହନ ବ୍ୟବସ୍ଥା, ଫେରି ଘାଟ ଓ ଜେଟି ନିର୍ମାଣ, ବେସରକାରୀ ଡଙ୍ଗା ନିଯୁକ୍ତି ଓ ଏହି ବାବଦରେ ପ୍ରଦାନ ଅର୍ଥର ବ୍ୟବହାର ସମ୍ପର୍କରେ ମଧ୍ୟ ତଥ୍ୟ ମାଗାଯାଇଛି।
