FeaturedLatestNewsPolitics

ବିଜେଡିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଶଙ୍ଖ ଭବନଠାରେ ଏକ ବିଶେଷ ସମାରୋହରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟା ହୋଇଛନ୍ତି। ସୁଜାତା ହେଉଛନ୍ତି ପୂର୍ବତନ ବିଜେଡି ନେତା ତଥା ପୂର୍ବତନ ଆଇଏଏସ୍ ଭି.କେ. ପାଣ୍ଡିଆନଙ୍କ ପତ୍ନୀ। ତାଙ୍କର ଏହି ଯୋଗଦାନ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଶଙ୍ଖ ଭବନରେ ଆୟୋଜିତ ଏହି ବୈଠକରେ ବିଜେଡିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ଟୁକୁନି ସାହୁ, ବିଧାୟକ ଧ୍ରୁବ ସାହୁ, ପଦ୍ମନାଭ ବେହେରା ଓ ମନ୍ମଥ ରାଉତରାୟ ପ୍ରମୁଖ ସୁଜାତାଙ୍କ ସ୍ୱାଗତରେ ଯୋଗ ଦେଇଥିଲେ। ସୁଜାତା ଶଙ୍ଖ ଭବନରେ ପହଞ୍ଚିବା ପରେ ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ନବୀନ ପଟ୍ଟନାୟକ ସୁଜାତାଙ୍କୁ ବିଜେଡିରେ ସ୍ୱାଗତ କରି କହିଛନ୍ତି, “ମୁଁ ସୁଜାତା ରାଉତଙ୍କୁ ବିଧିବଦ୍ଧ ଭାବେ ଦଳକୁ ସ୍ୱାଗତ କରୁଛି। ସେ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବେ। ପ୍ରାଶାସନିକ ଅଧିକାରୀ ଭାବେ ଓଡ଼ିଶା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି, ବିଶେଷକରି ମହିଳା ସଶକ୍ତିକରଣ ଓ ବିକାଶ କ୍ଷେତ୍ରରେ।” ଏହି ଅବସରରେ ସେ ଆଗାମୀ ନିର୍ବାଚନରେ ବିଜେଡିର ନେତୃତ୍ୱ ନେବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ଦଳରେ ଯୋଗ ଦେବା ପରେ ସୁଜାତା କାର୍ତ୍ତିକେୟନ କହିଛନ୍ତି, “ଦୀର୍ଘ ୨୪ ବର୍ଷ ଧରି ମୋତେ ନବୀନ ପଟ୍ଟନାୟକଙ୍କ ସରକାରରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିଲା। ଆଜି ବିଜେଡିରେ ଯୋଗ ଦେଇ ତାଙ୍କ ନେତୃତ୍ୱରେ ଓଡ଼ିଶା ମାଟିର ସେବା କରିବାର ପୁଣି ସୁଯୋଗ ପାଇଛି।” ସେ ନିଷ୍ଠା ଓ ସମର୍ପଣ ସହ ଓଡ଼ିଆ ଜନତାଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୁଜାତା ୨୦୨୪ ନିର୍ବାଚନ ସମୟରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ସେ ଓଡ଼ିଶା ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ବ୍ୟାଚର ଆଇଏଏସ୍ ଅଧିକାରୀ ସୁଜାତା କେନ୍ଦ୍ରାପଡ଼ାର ଝିଅ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ଜଏନ୍ୟୁରୁ ଆନ୍ତର୍ଜାତୀୟ ରାଜନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ସୁଜାତାଙ୍କ କ୍ୟାରିୟର ସୁନ୍ଦରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ସେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅନେକ ସାମାଜିକ କାର୍ଯ୍ୟ କରିଥିଲେ। ୨୦୦୫ରେ ସେ ‘ଗତିଶୀଳତା ହିଁ ସଶକ୍ତିକରଣ’ (Mobility is Empowerment) ସ୍ଲୋଗାନ ସହ ହାଇସ୍କୁଲ ଛାତ୍ରୀମାନଙ୍କୁ ସାଇକେଲ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ। ୨୦୦୬ରେ ସେ ସୁନ୍ଦରଗଡ଼ରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଅଣ୍ଡା ସାମିଲ କରିବାର ପୁରୋଗାମୀ ନିଷ୍ପତ୍ତି ନେଇଥିଲେ, ଯାହା ପରବର୍ତ୍ତୀ ସମୟରେ ରାଜ୍ୟବ୍ୟାପୀ ଲାଗୁ କରାଯାଇଥିଲା।

ସେ ‘ଫୁଟବଲ କଲେକ୍ଟର’ ଭାବେ ମଧ୍ୟ ପରିଚିତ ଥିଲେ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଖେଳକୁ ପ୍ରୋତ୍ସାହିତ କରିବା ସହ କ୍ରୀଡ଼ା ସାମଗ୍ରୀ ବଣ୍ଟନ ଓ ହଷ୍ଟେଲ ପ୍ରତିଷ୍ଠା କରିଥିଲେ। ତାଙ୍କର ସବୁଠୁ ବଡ଼ ଅବଦାନ ହେଉଛି ‘ମିଶନ ଶକ୍ତି’ କାର୍ଯ୍ୟକ୍ରମର ନେତୃତ୍ୱ, ଯାହା ୭୦ ଲକ୍ଷ ମହିଳାଙ୍କୁ ସହାୟତା କରିବା ସହ ଏସ୍ଏଚ୍ଜି ବ୍ୟାଙ୍କ ଋଣ ୭ ବର୍ଷ ମଧ୍ୟରେ ୫୦୦ କୋଟିରୁ ୧୫,୦୦୦ କୋଟିକୁ ବୃଦ୍ଧି କରିଥିଲା। କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ‘ମମତା’ ଯୋଜନା ଆରମ୍ଭ କରିଥିଲେ ଏବଂ ସଂସ୍କୃତି ବିଭାଗର ସଚିବ ଭାବେ ଭୁବନେଶ୍ବରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନରେ ପ୍ରମୁଖ ଭୂମିକା ନିଭାଇଥିଲେ।