୨ ଜୁଲାଇରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
କଟକ (ସଂକେତ ଟିଭି): ଆସନ୍ତା ୨ ତାରିଖ ଜୁଲାଇଠାରୁ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ୧୦ ତାରିଖ ଜୁଲାଇରେ ଶେଷ ହେବ । ଚଳିତ ବର୍ଷ ମୋଟ ୨୪ ହଜାର ୪୭୦ ଜଣ ପରୀକ୍ଷାର୍ଥୀ ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରେ ୧୫ ହଜାର ୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ଏବଂ ୯ ହଜାର ୩୯୯ ଜଣ ଚଳିତ ବର୍ଷ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଅଛନ୍ତି ।
ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୨୫୪ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯିବ । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏହି ପରୀକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଇଛନ୍ତି । କୌଣସି ଛାତ୍ରଛାତ୍ରୀଙ୍କର ଗୋଟିଏ ବର୍ଷ ନଷ୍ଟ ନହେବା ପାଇଁ ବୋର୍ଡ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛି ।
ପରୀକ୍ଷା ଶେଷ ହେବାର ଏକ ମାସ ମଧ୍ୟରେ ଫଳ ଘୋଷଣା କରାଯିବ । ଫଳସ୍ୱରୂପ ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷରେ ପୁନର୍ବାର ପାଠ୍ୟକ୍ରମରେ ସାମିଲ ହୋଇପାରିବେ ବୋଲି ସଭାପତି କହିଛନ୍ତି । ଆଗାମୀ ଓଟିଇଟି ପରୀକ୍ଷା ପାଇଁ ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ପ୍ରଭାବିତ ହେବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ପ୍ରତିଦିନ ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅତିରିକ୍ତ ସମୟ ଦିଆଯିବ, ଯାହା ୧୧.୪୫ ପର୍ଯ୍ୟନ୍ତ ଚାଲିବ ।
୨ ଜୁଲାଇ: ପ୍ରଥମ ଭାଷା
୪ ଜୁଲାଇ: ଦ୍ୱିତୀୟ ଭାଷା
୬ ଜୁଲାଇ: ଗଣିତ
୮ ଜୁଲାଇ: ସାଧାରଣ ବିଜ୍ଞାନ
୯ ଜୁଲାଇ: ସାମାଜିକ ବିଜ୍ଞାନ
୧୦ ଜୁଲାଇ: ତୃତୀୟ ଭାଷା
ପରୀକ୍ଷା ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବ ପରୀକ୍ଷା ଭଳି ଏହି ପରୀକ୍ଷାରେ ମଧ୍ୟ ସିସିଟିଭି ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରାମର୍ଶ ଦେଇଛନ୍ତି ।
