FeaturedLatestNews

ଓଡ଼ିଶା ଯାତ୍ରୀ ଆପ୍‌ରେ ନୂଆ ସୁରକ୍ଷା ମଡ୍ୟୁଲ୍: ଏକ କ୍ଲିକ୍‌ରେ ଯାତ୍ରୀଙ୍କୁ ସୁରକ୍ଷା ସହାୟତା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏକ ଅତ୍ୟାଧୁନିକ ସୁରକ୍ଷା ମଡ୍ୟୁଲ୍ ଯୋଡ଼ି ଏହାକୁ ଦେଶର ପ୍ରଥମ ସମନ୍ୱିତ ସରକାରୀ ଗମନାଗମନ ଓ ନାଗରିକ ସୁରକ୍ଷା ପ୍ଲାଟଫର୍ମରେ ପରିଣତ କରାଯାଇଛି। ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀମାନେ ଗୋଟିଏ କ୍ଲିକ୍‌ରେ ଯାତ୍ରା ସୁରକ୍ଷା ଓ ଜରୁରୀ ସହାୟତା ପାଇପାରିବେ।

ପୂର୍ବରୁ ଏହି ଆପ୍‌ରେ ଅଟୋ ଓ କ୍ୟାବ୍ ବୁକିଂ, ‘ଆମ ବସ୍’ର ଟିକେଟିଂ ଓ ସୂଚନା, ବୋଟିଂ ସେବା ଭଳି ଗମନାଗମନ ସୁବିଧା ଉପଲବ୍ଧ ଥିଲା। ଏବେ ସେଥିରେ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା ଯୋଡ଼ାଯାଇଛି। ଫଳରେ ସାଧାରଣ ଲୋକ ଏକାଧାରରେ ଯାତ୍ରା ଓ ସୁରକ୍ଷା ସେବା ପାଇପାରିବେ। ସୁରକ୍ଷା ମଡ୍ୟୁଲ୍ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ।

ନୂଆ ସୁରକ୍ଷା ମଡ୍ୟୁଲ୍‌କୁ ଓଡ଼ିଶା ପୋଲିସ୍ ଓ ଜରୁରୀକାଳୀନ ସେବା ‘୧୧୨’ ସହ ସଂଯୋଗ କରାଯାଇଛି। ଜରୁରୀ ସ୍ଥିତିରେ ଗୋଟିଏ ଟ୍ୟାପ୍‌ରେ SOS ପଠାଇ ଉପଭୋକ୍ତା ନିଜର ଲାଇଭ୍ ଲୋକେସନ୍ ପୋଲିସ୍ ଓ ପରିବାର ସଦସ୍ୟଙ୍କ ପାଖକୁ ପଠାଇପାରିବେ। ଏହା ଦ୍ୱାରା ତୁରନ୍ତ ପ୍ରଶାସନିକ ସହାୟତା ମିଳିବା ସମ୍ଭବ ହେବ।

କେବଳ ତାହା ନୁହେଁ, ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ନହେଲେ ମଧ୍ୟ ସହାୟତା ମାଗିହେବ। ଆଣ୍ଡ୍ରଏଡ୍ ଫୋନ୍‌କୁ ହଲାଇ କିମ୍ବା ଆଇଫୋନ୍‌ର ପଛପଟକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ SOS’ ସକ୍ରିୟ କରାଯାଇପାରିବ। ଏହା ସହ ରହିଛି ରିୟଲ୍-ଟାଇମ୍ ଲୋକେସନ୍ ସେୟାରିଂ, ଇମରଜେନ୍ସି ସାଇରନ୍ ଏବଂ ଆମ୍ବିଏଣ୍ଟ ଅଡିଓ ରେକର୍ଡିଂ ଭଳି ଅତ୍ୟାଧୁନିକ ବ୍ୟବସ୍ଥା।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ‘ନାଗରିକ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକ ସମୟରେ ପ୍ରତ୍ୟେକ ନାଗରିକଙ୍କୁ ନିର୍ଭରଯୋଗ୍ୟ ସହାୟତା ପହଞ୍ଚାଇବା ହିଁ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପ୍ରଯୁକ୍ତି ମାଧ୍ୟମରେ ସରକାରୀ ସେବାକୁ ଆହୁରି ପ୍ରତିକ୍ରିୟାଶୀଳ ଓ ସହଜ କରାଯାଉଛି।’

ଆଗାମୀ ଦିନରେ ଆନ୍ତଃସହର ବସ୍ ଟିକେଟିଂ, ପର୍ଯ୍ୟଟନ ସ୍ଥଳୀର ଡିଜିଟାଲ୍ ଟିକେଟିଂ ସମେତ ଅନ୍ୟାନ୍ୟ ସରକାରୀ ସେବାକୁ ମଧ୍ୟ ଏହି ଆପ୍‌ରେ ସାମିଲ କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ‘ଓଡ଼ିଶା ଯାତ୍ରୀ’କୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ବିକଶିତ କରିବା।