ଉଦୟନିଧି ଷ୍ଟାଲିନଙ୍କୁ ଗିରଫ କରି ୪ ଘଣ୍ଟା ପରେ ଛାଡିଲା ପୋଲିସ
ଚେନ୍ନାଇ(ସଂକେତ ଟିଭି): ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାର ବିରୋଧୀ ଦଳ ନେତା ତଥା ଡିଏମକେ (DMK) ଯୁବ ମୋର୍ଚ୍ଚା ସମ୍ପାଦକ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ଦିନ ଚେନ୍ନାଇ ସ୍ଥିତ ନୀଲାଙ୍କରାଇ ବାସଭବନରୁ ତାଙ୍କୁ ପୋଲିସ ହେପାଜତକୁ ନେଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୪ ଘଣ୍ଟା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି।
ଅଭିଯୋଗ ଅନୁଯାୟୀ, ତାଙ୍କର ଏକ ବିବାଦୀୟ ମନ୍ତବ୍ୟ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ଦିନ ତାଞ୍ଜାଭୁରଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ କାବେରୀ ଜଳ ବିବାଦ, ମେକେଦାଟୁ ଜଳଭଣ୍ଡାର ଏବଂ କୃଷି ଋଣ ଛାଡ଼ ଦାବିରେ ଡିଏମକେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମାବେଶରେ ଉଦ୍ୱୋଧନ ଦେବା ବେଳେ ଭିଡ଼ ମଧ୍ୟରୁ ଜଣେ ମହିଳା ଅଭିନେତ୍ରୀଙ୍କ ନାମ ଧରି ସ୍ଲୋଗାନ ଦିଆଯିବା ପରେ ଉଦୟନିଧି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏବଂ ଅଭିନେତ୍ରୀ ତ୍ରିଷାଙ୍କୁ ଟାର୍ଗେଟ କରି ଆପତ୍ତିଜନକ ଏବଂ ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ତାମିଲାଗା ଭେଟ୍ରି କାଜାଗମ୍ (TVK) ମହିଳା ଶାଖା ପକ୍ଷରୁ ତାଞ୍ଜାଭୁର ପୋଲିସରେ ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (IT Act) ସମେତ ୬ଟି ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାସହ ତାମିଲନାଡୁ ମହିଳା ନିର୍ଯାତନା ନିଷେଧ ଆଇନ ଅଧୀନରେ ମଧ୍ୟ ମାମଲା ରୁଜୁ ହୋଇଛି। ସାମ୍ପ୍ରଦାୟିକ ଶତ୍ରୁତା ବୃଦ୍ଧି, ଦଙ୍ଗା ସୃଷ୍ଟି ଉଦ୍ଦେଶ୍ୟରେ ଉସୁକାଇବା ଏବଂ ଅପରାଧିକ ଧମକ ଭଳି ୯ଟି ଧାରା ଉଦୟନିଧିଙ୍କ ବିରୋଧରେ ଲଗାଯାଇଛି।
ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ଆଲାଗେସନ୍ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଚେନ୍ନାଇ ପୋଲିସ କମିଶନର ଏ. ଅମଲରାଜ ଉଦୟନିଧିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ଖବର ପାଇ ବରିଷ୍ଠ ଡିଏମକେ ନେତା କେ.ଏନ୍. ନେହେରୁ ଏବଂ ମା. ସୁବ୍ରମଣ୍ୟମଙ୍କ ସମେତ ଦଳର ଆଇନଜୀବୀମାନେ ସେଠାରେ ପହଞ୍ଚି ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଦୟନିଧିଙ୍କ ଘର ବାହାରେ ବହୁ ସଂଖ୍ୟାରେ ଡିଏମକେ କର୍ମୀ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଡିଏମକେ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୪ ଘଣ୍ଟା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି। ଅଦାଲତରେ ଶୁଣାଣି ସମୟରେ ତାଞ୍ଜାବୁର ପୋଲିସ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ କହିଥିଲେ ଯେ, ଉଦୟନିଧିଙ୍କୁ ତାଞ୍ଜାବୁର ନିଆଯାଇଛି ସତ, କିନ୍ତୁ ପୋଲିସ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଚାହୁଁନାହିଁ। ତାଙ୍କୁ କେବଳ ପଚରାଉଚରା କରି ଥାନାରୁ ଜାମିନରେ ମୁକ୍ତ କରିବା ହିଁ ସରକାରଙ୍କ ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ।
ପୋଲିସ ଗାଡ଼ିରେ ନିଆଯିବା ପୂର୍ବରୁ ଉଦୟନିଧି ସାମ୍ବାଦିକମାନଙ୍କୁ କହିଥିଲେ, ‘ମୁଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କାହାର ନାମ ନେଇଥିଲି କି? କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ।’ ଏହାସହ, ଟିଭିକେ ପକ୍ଷରୁ ଉଦୟନିଧିଙ୍କ ଭାଷଣ ମହିଳାଙ୍କ ପ୍ରତି ଅପମାନଜନକ ଓ ଯୌନ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଇ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ସର୍ବସାଧାରଣରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି। ସେପଟେ ଉଦୟନିଧିଙ୍କ ଗିରଫଦାରୀକୁ ନେଇ ଡିଏମକେ କର୍ମୀମାନେ ରାଜ୍ୟସାରା ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
