ଓଡ଼ିଶା ଫୁଡ୍ ପ୍ରୋରେ ୩୧ ହଜାର ୬୪୮ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୪୨ ହଜାର ନିଯୁକ୍ତି
ଭୁବନେଶ୍ୱର(ସଂକେତ୍ ଟିଭି): ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନୂଆ ଦିଗ ଦେବାକୁ ଲକ୍ଷ୍ୟ ନେଇ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ ନିବେଶ ସମ୍ମିଳନୀ ଏକ ଐତିହାସିକ ସଫଳତା ପାଇଛି। ଏହି ଅବସରରେ ମୋଟ ୩୧ ହଜାର ୬୪୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୪୨ ହଜାରରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ଶିଳ୍ପ ବିକାଶ ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ବୃହତ ନିବେଶ ସମ୍ମିଳନୀର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଶିଳ୍ପ ପ୍ରତିନିଧି ଏବଂ ୧୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ମିଣ୍ଡା ଇଣ୍ଡଷ୍ଟ୍ରିଜ୍ର ମ୍ୟାନେଜିଂ ଡାଇରେକ୍ଟର ନିର୍ମଳ କୁମାର ମିଣ୍ଡା, ହେକ୍ସାଗନ୍ ନ୍ୟୁଟ୍ରିସନ୍ର ମ୍ୟାନେଜିଂ ଡାଇରେକ୍ଟର ବିକ୍ରମ କେଲକରଙ୍କ ସମେତ ବହୁ ବରିଷ୍ଠ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ନିବେଶ ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ।
ଏହି ନିବେଶ ସମ୍ମିଳନୀରେ ୨୨ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ବେଭରେଜ୍ ପ୍ରୋସେସିଂ, ଆଗ୍ରୋ ପ୍ରୋସେସିଂ, କୋଲ୍ଡ ଚେନ୍, ଲଜିଷ୍ଟିକ୍ସ ଏବଂ ପ୍ୟାକେଜିଂ ଭଳି ବିଭିନ୍ନ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ଏହା ଦ୍ୱାରା କେବଳ ଶିଳ୍ପ ବିକାଶ ହେବ ନାହିଁ, ବରଂ ରାଜ୍ୟରେ ୪୨ ହଜାର ୭୬ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ନଲେଜ୍ ରିପୋର୍ଟ’ର ଉନ୍ମୋଚନ କରିଥିଲେ। ଏହି ରିପୋର୍ଟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ସମ୍ପଦ ଏବଂ ରାଜ୍ୟର ନିବେଶ ସମ୍ଭାବନା ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି। ଭବିଷ୍ୟତ ନିବେଶକମାନଙ୍କୁ ଏହି ରିପୋର୍ଟ ଦିଗଦର୍ଶନ ଯୋଗାଇବ ଏବଂ ସେମାନଙ୍କ ନିବେଶ ନିଷ୍ପତ୍ତିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାର ଶିଳ୍ପଗୁଡ଼ିକୁ ଆବଶ୍ୟକୀୟ ରାସ୍ତା, ବିଦ୍ୟୁତ, ପାଣି ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦେବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି। ପୂର୍ବ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢ଼ିତୋଳିବା ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନରେ ଏହି ପଦକ୍ଷେପ ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସମୁଦାୟ ୩୧ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ଏବଂ ୪୨ ହଜାରରୁ ଅଧିକ ଚାକିରି ସୁଯୋଗର ପ୍ରତିଶ୍ରୁତି ସହ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି ଦେଇଛି। ଏହି ନିବେଶ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ସ୍ତରର ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ଶିଳ୍ପ ମହଲରେ ଆଶା କରାଯାଉଛି।
