ମମତାଙ୍କ ଗାଡ଼ି ଉପରେ ପଥର ଓ ଜୋତା ମାଡ଼
କୋଲକାତା (ସଂକେତ ଟିଭି): ପଶ୍ଚିମବଙ୍ଗରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହାଲିସହର ଅଞ୍ଚଳରେ ବିକ୍ଷୋଭକାରୀମାନେ ତାଙ୍କ ଗାଡ଼ିକୁ ଘେରି ପଥର, ଇଟା, ଜୋତା-ଚପଲ, ପାଣି ବୋତଲ ଏବଂ କାଦୁଅ ଫିଙ୍ଗିବାର ଅଭିଯୋଗ ହୋଇଛି।
ଘଟଣାଟି ସେତେବେଳେ ଘଟିଛି ଯେତେବେଳେ ଶ୍ରୀମତୀ ବାନାର୍ଜୀ ଟିଏମସି କର୍ମୀ ବିର୍ଜୁ କେଓଟଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ। ବିର୍ଜୁ କେଓଟ ହେଉଛନ୍ତି ପୂର୍ବତନ କାଞ୍ଚରାପଡ଼ା ପୌର କାଉନସିଲର ଜେନି ଶର୍ମା କେଓଟଙ୍କ ସ୍ୱାମୀ। ଚାନ୍ଦା ଆଦାୟ, ଆର୍ଥିକ ଠକେଇ ଓ ଅସ୍ତ୍ର ଆଇନ ସମେତ ବିଭିନ୍ନ ଅଭିଯୋଗରେ ଅଗଷ୍ଟ ୭ ତାରିଖରେ ହାଲିସହର ପୋଲିସ ତାଙ୍କୁ ଗିରଫ କରିଥିଲା। କୋର୍ଟ ତାଙ୍କୁ ୫ ଦିନିଆ ପୋଲିସ ହେପାଜତକୁ ପଠାଇବା ପରେ ସେହିଦିନ ପୋଲିସ ଷ୍ଟେସନରେ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପରିବାର ପକ୍ଷରୁ ପୋଲିସ ହେପାଜତରେ ମାଡ଼ ଓ ନିର୍ଯାତନା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି, ଯାହାକୁ ପୋଲିସ ହୃଦଘାତ କିମ୍ବା ସ୍ୱାସ୍ଥ୍ୟଜନିତ କାରଣ ବୋଲି କହି ଖାରିଜ କରିଛି।
ଏହି ଆକ୍ରମଣ ଘଟଣାକୁ ନେଇ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ ଗାଡ଼ି ଉପରକୁ ବଡ଼ ବଡ଼ ପଥର ଫିଙ୍ଗାଯାଇଥିବା ଏବଂ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଝରକା ଖୋଲା ଥିଲେ ତାଙ୍କ ମୁଣ୍ଡ ଫାଟିଯାଇଥାନ୍ତା ବୋଲି ସେ କହିଛନ୍ତି। ଗାଡ଼ିରେ ଥିବା ସମସ୍ତଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା ବୋଲି ଉଲ୍ଲେଖ କରି ଶ୍ରୀମତୀ ବାନାର୍ଜୀ ଏହାକୁ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି। ତାଙ୍କ ଗସ୍ତ ସମ୍ପର୍କରେ ପୂର୍ବରୁ ସୂଚନା ଥିବା ସତ୍ତ୍ୱେ ପୋଲିସ ନିରବ ଦର୍ଶକ ସାଜିଥିଲା ବୋଲି ଅଭିଯୋଗ କରି ସେ ସ୍ଥାନୀୟ ପୋଲିସ ଉପରୁ ବିଶ୍ୱାସ ହଟିଯାଇଥିବା କହିଛନ୍ତି। ଏଥିସହ ଏହି ଘଟଣା ପାଇଁ ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାରକୁ ଦାୟୀ କରିଛନ୍ତି।
ଘଟଣା ସମୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଓ ଡୋଲା ସେନ୍ ମଧ୍ୟ ମମତାଙ୍କ ସହ ଥିଲେ। ପରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଶ୍ରୀମତୀ ବାନାର୍ଜୀଙ୍କ କନଭୟକୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲା। ଅନ୍ୟପଟେ, କେତେକ ବିଜେପି ନେତା ମଧ୍ୟ ଏହି ହିଂସାକୁ ନିନ୍ଦା କରିଛନ୍ତି। ଏଭଳି ହିଂସା ‘ବଙ୍ଗଳାର ସଂସ୍କୃତି ନୁହେଁ’ ବୋଲି କହିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ସେହିପରି ଟିଏମସି ଏହାକୁ ପୂର୍ବ ଯୋଜନାବଦ୍ଧ ଆକ୍ରମଣ ବୋଲି କହି ତୀବ୍ର ନିନ୍ଦା କରିଛି।
