FeaturedLatestNews

ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ : ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟ ଖୁବଶୀଘ୍ର ଏକ ନୂଆ ଲୋକାୟୁକ୍ତ ଦେଖିବ। ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଏ ନେଇ ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି ଏବଂ ବିରୋଧୀ ଦଳ ନେତା ମିଳିତ ଭାବରେ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ପର୍ଯ୍ୟାୟ ବୈଠକ ସରିଛି ଏବଂ ଏହି ଚୟନ ବହୁମତ ଆଧାରରେ ହେବ। ଆଗାମୀ ଦିନରେ ଏହି ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ବିଳମ୍ବ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ବିରୋଧୀମାନେ ଯଦି ବିଳମ୍ବ ବୋଲି କହୁଛନ୍ତି, ତେବେ ସେମାନେ ୨୪ ବର୍ଷ ଏବଂ ୨ ବର୍ଷ ମଧ୍ୟରେ ତୁଳନା କରନ୍ତୁ। ଗତ ୨୪ ବର୍ଷରେ ଯାହା କରାଯାଇନାହିଁ, ତାହା ଆମେ ମାତ୍ର ୨ ବର୍ଷରେ କରୁଛୁ। ଆମେ ୫ ବର୍ଷରେ ଯାହା କରିବୁ, ତାହା ବିରୋଧୀ କଳ୍ପନା ମଧ୍ୟ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ, କଂଗ୍ରେସ ବିଧାୟକ ଅଶୋକ ଦାସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଅଢେଇ ବର୍ଷ ହେଲା ସରକାର ଯୋଜନା ବୋର୍ଡ଼ ଗଠନ କରିପାରି ନାହାନ୍ତି, ଲୋକାୟୁକ୍ତ ତ ବହୁତ ପରର କଥା। ଲୋକାୟୁକ୍ତ ହେଲେ ସରକାରଙ୍କ ସତ କଥା ପଦାକୁ ଆସିବ, ସେଥିପାଇଁ ସେମାନେ ଏଥିରେ ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ସେହିପରି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଏ ରାଜ୍ୟକୁ କିଏ ଚଳାଉଛି ତାହା ତାଙ୍କୁ ଜଣାନାହିଁ। ରାଜ୍ୟରେ ଥିବା ବିଭିନ୍ନ କମିଟି ଫାଙ୍କା ପଡ଼ିଛି ଏବଂ ତାଳମେଳ ଅଭାବରୁ ଅଧ୍ୟକ୍ଷ ପଦ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇପାରୁନାହିଁ। ସର୍ବୋଚ୍ଚ ପଦରେ ଥିବା ବ୍ୟକ୍ତି ନିଜେ ନିଷ୍ପତ୍ତି ନେଇପାରୁନାହାନ୍ତି ଏବଂ ସବୁ ନିଷ୍ପତ୍ତି ଦିଲ୍ଲୀରୁ ଚାଲୁଛି। ଡବଲ ଇଞ୍ଜିନ୍ ସରକାରଙ୍କ ଭିତରେ ସନ୍ତୁଳନ ନାହିଁ, ଫଳରେ ଲୋକାୟୁକ୍ତ ହେଉ କିମ୍ବା ଅନ୍ୟ ପଦବୀ, ସରକାର କୌଣସିଟି ପୂରଣ କରିପାରୁନାହାନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।