FeaturedLatestNews

ଓଡ଼ିଶାରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ର ୫୦ ବର୍ଷ ପୂର୍ତ୍ତି ଅବସରରେ ତାହା ପ୍ରଥମ ଥର ପାଇଁ ଗାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ କେବଳ ଏକ ସଂଗ୍ରାମର କାହାଣୀ ନୁହେଁ, ଏହା ରାଷ୍ଟ୍ର ଗଠନର ପ୍ରଥମ ପାହାଚ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବିଭିନ୍ନ ବିଚାରଧାରାର ସ୍ୱାଧୀନତା ସଂଗ୍ରାମୀମାନେ ଗୋଟିଏ ମଞ୍ଚରେ ଆସି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକଜୁଟ ହୋଇଥିଲେ। ‘ସତ୍ୟାଗ୍ରହ’ ଓ ‘ଅହିଂସା’ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଏକ ଲମ୍ବା ଲଢ଼େଇ ଚାଲିଥିଲା। ସମାନ୍ତରାଳ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶହିଦ ଭଗତ ସିଂଙ୍କ ପରି କ୍ରାନ୍ତିକାରୀମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଓଡ଼ିଶାର ବୀର ସନ୍ତାନମାନେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ ଏବଂ ସେମାନଙ୍କ ଅସୀମ ତ୍ୟାଗ ଓ ସଂଘର୍ଷ ଓଡ଼ିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରାଇଥିଲା।

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ୬ଟି ସୁଯୋଗ ରହିଥିଲା, ଯାହାକୁ ଉଠାଇ ଦିଆଯାଇଛି। ସେହିପରି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ‘କେଜି ରୁ ପିଜି’ ଶିକ୍ଷାକୁ ସମ୍ପୂର୍ଣ୍ଣ ନିଃଶୁଳ୍କ କରାଯାଇଛି। ଅର୍ଥାତ୍ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି। ଗୁଣାତ୍ମକ ଶିକ୍ଷା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆଗାମୀ ଦିନରେ ୪୫ ହଜାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ଥର ପାଇଁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଉଚ୍ଚଶିକ୍ଷାକୁ ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଓ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ରାଜ୍ୟର ସବୁ ଗାଁକୁ ସଡ଼କ, ବିଜୁଳି ଓ ପାନୀୟ ଜଳ ଯୋଗାଣ ହୋଇ ନ ପାରିବା ଦୁଃଖଦ। ଏହାକୁ ସୁଧାରିବା ପାଇଁ ସରକାର ‘ମିଶନ ପାୱାର’ ଯୋଜନା ପ୍ରଣୟନ କରିଛନ୍ତି, ଯାହା ମାଧ୍ୟମରେ ୨୦୨୭ ମସିହା ଶେଷ ସୁଦ୍ଧା ସବୁ ଗାଁକୁ ମୌଳିକ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି। ସେ ଆହୁରି କହିଛନ୍ତି ଯେ, ଆଜି ଭାରତ ଆତ୍ମବିଶ୍ୱାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନରେ ଭରା। ଗରିବଙ୍କ ପାଖରେ ବ୍ୟାଙ୍କ ଖାତା ଅଛି, ବିନା ଲାଞ୍ଚରେ ସରକାରୀ ସୁବିଧା ପାଉଛନ୍ତି ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ଆଉ ସ୍ୱପ୍ନ ନୁହେଁ। ଜନସଂଖ୍ୟାର ୨୫ ପ୍ରତିଶତ ଜନଜାତି, ୧୬ ପ୍ରତିଶତ ଅନୁସୂଚିତ ଜାତି, ଅଧା ମହିଳା ଓ ୬୦ ପ୍ରତିଶତ କୃଷକ, ମତ୍ସ୍ୟଜୀବୀ ଓ ପ୍ରାଣୀପାଳକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *