FeaturedLatestNews

ଏକତରଫା ପ୍ରେମ ବିବାଦ; ଶିକ୍ଷକଙ୍କ କଟୁରି ଆକ୍ରମଣରେ ୫ ଆହତ

ସୋର(ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ ଔପଦା ଥାନା ପାଟପୁରଗ୍ରାମରେ ଏକତରଫା ପ୍ରେମରୁ ସୃଷ୍ଟି ହୋଇଥିବା ବିବାଦ କରୁଣ ମୋଡ଼ ଧରିଛି। ଜଣେ ଶିକ୍ଷକ ନିଜ କଟୁରି ଚୋଟରେ ଶିକ୍ଷୟିତ୍ରୀଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଗୁରୁତର ଆହତ କରିଥିବା ଘଟଣା ସାମ୍ନାକୁ ଆସିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସୂଚନା ଅନୁସାରେ, ଔପଦା ହାଇସ୍କୁଲର ଶିକ୍ଷକ ପୃଥ୍ବୀରାଜ କର ସେହି ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ନେଇ ରାଜି ନଥିବାରୁ ଗତ କିଛିଦିନ ଧରି ଏହି ବିବାଦ ଚାଲିଆସୁଥିଲା।

ଆଜି ଅପରାହ୍ଣରେ ସ୍କୁଲ ଛୁଟି ହେବା ପରେ ଶିକ୍ଷକ ପୃଥ୍ବୀରାଜ ସିଧାସଳଖ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚି ଯାଇଥିଲେ। ସେ ଏକ କଟୁରି ବ୍ୟବହାର କରି ଶିକ୍ଷୟିତ୍ରୀ ସୁଚିଶ୍ମିତା ସେଠିଙ୍କ ସମେତ ତାଙ୍କ ବାପା କୃଷ୍ଣଚନ୍ଦ୍ର ସେଠି, ମା’ ପ୍ରଭାସିନୀ ସେଠି, ଜେଜେବାପା ବାବାଜୀ ସେଠି ଓ ଭାଇ ଜ୍ୟୋତିର୍ମୟ ସେଠିଙ୍କୁ ଧାରାବାହିକ ଭାବେ ଆକ୍ରମଣ କରିଥିଲେ।

ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଔପଦା ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଖାଇରା, ଔପଦା ଓ ସୋର ଡାକ୍ତରଖାନାରେ ଭର୍ତି କରାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଉନ୍ମୁକ୍ତ ଅବସ୍ଥାରେ ଥିବା ଶିକ୍ଷକଙ୍କୁ ହେପାଜତରେ ନେଇ ଥାନାକୁ ଅଟକ ରଖିଥିଲା। ତାଙ୍କ ନିକଟରୁ ଅପରାଧରେ ବ୍ୟବହୃତ କଟୁରିଟିକୁ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।