ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର
ଭୁବନେଶ୍ୱର (ସଂକେତ ଟିଭି): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ଅଭିଯୁକ୍ତକୁ ପୋଲିସ ଆଜି (ଶନିବାର) ଏନକାଉଣ୍ଟର କରିଛି। ଆହତ ଅଭିଯୁକ୍ତର ନାମ ଶ୍ରୀଧର ପଣ୍ଡା ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ଶ୍ରୀଧର ପଣ୍ଡା ଖସିଯିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିଥିଲା। ଫଳରେ ନିଜ ସୁରକ୍ଷା ପାଇଁ ପୋଲିସକୁ ଏନକାଉଣ୍ଟର କରିବାକୁ ପଡ଼ିଥିଲା। ଅଭିଯୁକ୍ତ ଶ୍ରୀଧରଙ୍କ ଶରୀରରେ ଦୁଇଟି ଗୁଳି ବାଜିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ସମ୍ପର୍କରେ ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି ଯେ, “ଅଭିଯୁକ୍ତ ଶ୍ରୀଧର ପଣ୍ଡାଙ୍କ ଶରୀରରେ ୨ଟି ଗୁଳି ବାଜିଛି। ସେ ସୁସ୍ଥ ହେବା ପରେ ତାଙ୍କୁ ନୟାପଲ୍ଲୀ ଥାନା ପକ୍ଷରୁ ଗିରଫ କରାଯିବ।”
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଠାବ କରାଯାଇଥିଲା। ଏହାପରେ ସେ ଖସିଯିବାକୁ ଉଦ୍ୟମ କରିବା ସହିତ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ଅଭିଯୁକ୍ତ ଶ୍ରୀଧର ଉପରକୁ ଗୁଳି ମାଡ଼ କରିଥିଲା। ଗୁଳିମାଡ଼ରେ ଆହତ ହୋଇ ଶ୍ରୀଧର ଟଳିପଡ଼ିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତ ଶ୍ରୀଧର ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଗତ ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଗୁରୁବାର ଏହା ଜଣା ପଡ଼ିଥିଲା। ଅଭିଯୁକ୍ତ ଶ୍ରୀଧର ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ ଘଟାଇଥିବା ଅଭିଯୋଗ ହୋଇଥିଲା।
୨୬ ବର୍ଷୀୟା ପୀଡ଼ିତା ଜଣକ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୀଡ଼ିତା ଏତଲାରେ ଦର୍ଶାଇଥିଲେ ଯେ, ସେ ଭଡ଼ା ଘରେ ଥିବାବେଳେ ଜଣେ ଅଜଣା ବ୍ୟକ୍ତି ଘରକୁ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଏଥିପାଇଁ ପୋଲିସ ଟିମ୍ ଗଠନ କରାଯାଇଥିଲା। ତେବେ ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଚାଲି ଚାଲି ସିଆରପି ଯିବା ପରେ ଆମ ବସ୍ ଯୋଗେ ପଳାଇ ଯାଇଥିବା ପୋଲିସ ସିସିଟିଭିରୁ ଜାଣିବାକୁ ପାଇଥିଲା।
ଗତକାଲି ଏହି ଘଟଣାରେ ରାଜ୍ୟ ମହିଳା କମିଶନ ହସ୍ତକ୍ଷେପ କରିଥିଲେ। କମିଶନ ନିଜ ଆଡ଼ୁ ଏହି ଘଟଣାରେ ମାମଲା ରୁଜୁ କରିଥିଲେ। ଏଥିସହ ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ନିର୍ଦ୍ଦେଶ ଦେଇଥିଲେ।
