ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି ପରିବାରକୁ ବାନ୍ଧି ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଏକ ଭୟାବହ ଲୁଟ୍ ଘଟଣା ଘଟିଛି। ଗାଁର କୈଳାଶ ମହାନ୍ତି ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଘରେ ରହିଥିବା ବେଳେ ଗତକାଲି ରାତି ୯ ଟା ସମୟରେ ମୁଖା ପିନ୍ଧା ୪ ଜଣ ଦୁର୍ବୃତ୍ତ ହଠାତ ଘର ଭିତରକୁ ପଶି ଆସିଥିଲେ।
ଦୁର୍ବୃତ୍ତମାନେ ପରିବାର ସଦସ୍ୟମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ ବାନ୍ଧି ପକାଇଥିଲେ। ଏହାପରେ ସେମାନେ ଘରୁ ୬ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ ହଜାର ଟଙ୍କା ଲୁଟି ନେଇଥିଲେ।
ଲୁଟ୍ କରିବା ପରେ ୪ ଜଣ ଦୁର୍ବୃତ୍ତ ଘର ଭିତରେ ସୁନା ଗହଣା ଭାଗ ବଣ୍ଟା କରିଥିଲେ ଏବଂ ବିଳମ୍ବିତ ରାତିରେ ସେମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
