ଧର୍ମ ପରିବର୍ତ୍ତନ କଲେ ସଂରକ୍ଷଣର ଲାଭ ମିଳିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ(ସଂକେତ ଟିଭି): ଧର୍ମ ପରିବର୍ତ୍ତନ କଲେ ସଂରକ୍ଷଣର ଲାଭ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରି କୋଟାର ଲାଭ ଉଠାଇପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଧର୍ମ ପରିବର୍ତ୍ତନ ଏବଂ ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
କୋର୍ଟଙ୍କ କହିବାନୁସାରେ, ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ପଛୁଆ ବର୍ଗ କିମ୍ବା ଅନୁସୂଚିତ ଜାତି ଏବଂ ଜନଜାତିର କିଛି ବ୍ୟକ୍ତି ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି । ଏପରି ଧର୍ମ ପରିବର୍ତ୍ତନ କଲେ ସେମାନଙ୍କୁ ସଂରକ୍ଷଣର ଫାଇଦା ମିଳିବ ନାହିଁ । ହିନ୍ଦୁ ବ୍ୟବସ୍ଥା ଅନୁସାରେ ଧର୍ମ ପରିବର୍ତ୍ତନ କଲେ ସେ ଯେଉଁ ବର୍ଗରେ ଥିବେ ତାହା ଅନ୍ୟ ଧର୍ମକୁ ସ୍ଥାନାନ୍ତର ହୁଏ ନାହିଁ ।
ଏହାସହ ସୁପ୍ରିମକୋର୍ଟ ମାଦ୍ରାସ ହାଇକୋର୍ଟଙ୍କ ଏକ ରାୟକୁ କାଏମ ରଖିଛନ୍ତି । ମାଦ୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କ ଧର୍ମ ପରିବର୍ତ୍ତନ କରି ମୁସଲିମ ହୋଇଥିବା ବ୍ୟକ୍ତିଙ୍କୁ ସଂରକ୍ଷଣ ପ୍ରଦାନ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ଏହାକୁ ନେଇ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ସମ୍ବିଧାନର ଧାରା ଅନୁସାରେ ତାମିଲନାଡୁ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
କୋର୍ଟ ଆହୁରି ମଧ୍ୟ କୌଣସି ପଛୁଆ ବର୍ଗର ବ୍ୟକ୍ତି ଅନ୍ୟ ଧର୍ମ ଆପଣାଇଲେ ସେ ସଂରକ୍ଷଣ ବାବଦରେ ଦାବି କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
