EducationFeaturedLatestNews

୨-୩ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି, ଏଥର ଆଗୁଆ ହେବ ସ୍କୁଲ ଖରା ଛୁଟି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି। ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଳା। ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ। ତେବେ ଏଭଳି ବଢ଼ୁଥିବା ତାତିକୁ ଦୃଷ୍ଟିରେ ରଖି ଏଥର ଆଗୁଆ ସ୍କୁଲ ଖରା ଛୁଟି ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏ ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ଏଥର ଆଗୁଆ ହେବ ଖରା ଛୁଟି। ୨-୩ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରାଜସ୍ୱ ବିଭାଗ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି।

ଗଣଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଏସଆରସିଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ୧-୨ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି। ଅଙ୍ଗନୱାଡ଼ି ବନ୍ଦ ହେଲେ ପିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବୁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି। ଯାହାକୁ ନେଇ ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ତାପମାତ୍ରା ବଢ଼ୁଥିବାରୁ ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି। ଆପେରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି।