FeaturedLatestNews

ଏଣିକି ଟିଭି ଓ କମ୍ପ୍ୟୁଟରରେ ବି ଆସିବ ଜରୁରୀକାଳୀନ ଆଲର୍ଟ

ଭୁବନେଶ୍ୱର (ସଂକେତ ଟିଭି):ଏଣିକି ଆଉ ମୋବାଇଲରେ କେବଳ ଜରୁରୀକାଳୀନ ଆଲର୍ଟ ଓ ସେଲ ବ୍ରଡକାଷ୍ଟ ମେସେଜ ଆସିବନି । ଟିଭି ସ୍କ୍ରିନ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମରେ ଏହି ମେସେଜ ଆସିବ । ଇଟିଭି ଭାରତକୁ ସାକ୍ଷାତକାର ଦେଇ ଏନେଇ ସୂଚନା ଦେଇଛନ୍ତି ସି ଡଟ୍‌ ସିଇଓ ଡ.ରାଜକୁମାର ଉପାଧ୍ୟାୟ । ମୋବାଇଲ ଡିଭାଇସରୁ ଏହି ଟେକ୍ନୋ‌ଲୋଜିକୁ ଆଗକୁ ବଢାଇବାକୁ ପ୍ରୟାସ ଚାଲିଛି । ଭାରତ ଚଳିତ ମାସରେ ମୋବାଇଲ ଫୋନରେ ଜରୁରୀକାଳୀନ ଆଲର୍ଟ ମେସେଜ ପଠାଇ ପରୀକ୍ଷଣ କରି ସାରିଛି । ଏବେ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ଡିଜିଟାଲ ପ୍ଲାଟଫର୍ମରେ ପରୀକ୍ଷଣ କରାଯିବ ।

ଏଥିପାଇଁ ଜରୁରୀ ଟେକ୍ନୋଲଜିର ପୂର୍ବରୁ ବିକଶିତ କରାଯାଇଛି । ସରକାରଙ୍କ ଔପଚାରିକ ନିର୍ଦ୍ଦେଶ ପରେ ଏହାର ପରୀକ୍ଷଣ ଆରମ୍ଭ ହେବ । ସଫଳ ପରୀକ୍ଷଣ ପରେ ଏହି ବ୍ୟବସ୍ଥାକୁ ସଂଚାର ମାଧ୍ୟମରେ ଲାଗୁ କରାଯିବ । ଏହାଦ୍ବାରା ଖରାପ ପାଣିପାଗ, ଜରୁରୀକାଳୀନ ସ୍ଥିତି ଓ ଆସନ୍ନ ବିପଦକୁ ଅତି ସହଜରେ ପ୍ରସାରଣ କରାଯାଇ ଲୋକଙ୍କ ନିକଟକୁ ପଠାଯାଇ ପାରିବ । ଏହି ପଦକ୍ଷେପ ଦ୍ବାରା ଭାରତର ବିପର୍ଯ୍ୟୟ ସଂଚାର ଓ ସାର୍ବଜନିକ ସୁରକ୍ଷା ପ୍ରଣାଳୀ ମଜବୁତ ହୋଇପାରିବ । ଏକକାଳୀନ ଏକରୁ ଅଧିକ ପ୍ଲାଟଫର୍ମରେ ଆଲର୍ଟ ପଠାଇବା ଦ୍ବାରା ଦେଶବାସୀ ସଚେତନ ହୋଇପାରିବେ । ଖାସକରି ଘୁର୍ଣ୍ଣିବାତ୍ୟା, ଭୂମିକମ୍ପ, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସ୍ଥିତିରେ ଧନ ଜୀବନ ରକ୍ଷା ହୋଇପାରିବ ।

ଡ. ଉପାଧ୍ୟାୟ କହିଛନ୍ତି ଯେ କିଛି ବର୍ଷ ମଧ୍ୟରେ ଭାରତ ବିପର୍ଯ୍ୟୟ ଚେତାବନୀ ପ୍ରଣାଳୀରେ ବଡ ପରିବର୍ତ୍ତନ କରିଛି । ଯେଉଁ ପ୍ରଣାଳୀରେ ଚିଠି, ଇମେଲ ଓ ଜିଲ୍ଲା ସ୍ତରୀୟ ପ୍ରଶାସନକୁ ସାମିଲ କରାଯାଉଥିଲା ଏବେ ତାହା ‘ରିଅଲ ଟାଇମ’ ଓ ‘ଜିୟୋ ଟାର୍ଗେଟେଡ’ ବିପଦକାଳୀନ ଚେତାବନୀ ନେଟୱର୍କରେ ପରିଣତ ହୋଇଛି । ଯାହାକି କିଛି ସେକେଣ୍ଡରେ କୋଟିକୋଟି ଲୋକଙ୍କ ପାଖରେ ପହଞ୍ଚି ପାରିବ । ନୂଆ ପ୍ଲାଟଫର୍ମ ଆସିବା ପୂର୍ବରୁ ଅଧିକାଂଶ ବିପର୍ଯ୍ୟୟ ଚେତାବନୀ ମାନୁଆଲ ପ୍ରକ୍ରିୟାରେ ଦିଆଯାଉଥିଲା । ଯଦି ଓଡ଼ିଶାରେ ବାତ୍ୟା ଆଶଙ୍କା ଥାଏ ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ବା ଇମେଲ ପଠାଇ ଥାଆନ୍ତି । ଏହାପରେ ସେହି ସୂଚନାକୁ ଜିଲ୍ଲା ପ୍ରଶାସନକୁ ପଠାଯାଇଥାଏ । ସ୍ଥାନୀୟ ପ୍ରଶାସନ ଖବର କାଗଜ ହେଉ ବା ପାରମ୍ପାରିକ ସଞ୍ଚାର ମାଧ୍ୟମରେ ଏହି ସୂଚନା ପ୍ରସାରଣ କରିଥାଏ । କିନ୍ତୁ ଯେଉଁମାନେ ପ୍ରକୃତରେ ବିପଦରେ ଥାଆନ୍ତି ସେମାନଙ୍କ ନିକଟରେ ଚେତାବନୀ ପହଞ୍ଚି ନଥାଏ ।

ଡ. ରାଜକୁମାର ଉପାଧ୍ୟାୟ କହିଛନ୍ତି ୨୦୨୦ରେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ସାଧାରଣ ଲୋକଙ୍କ ପାଇଁ ଆଲର୍ଟ ବ୍ୟବସ୍ଥା କରିବାକୁ ଚିନ୍ତା କରିଥିଲା । ସେହି ସମୟରେ ଭାରତରେ ଏପରି ଟେକ୍ନୋଲଜିର ବ୍ୟବହାର ପାଇଁ ବିଦେଶୀ ଭଣ୍ଡାର ଅଧିକ ଦାମ ମାଗୁଥିଲା । ଏଣୁ ସ୍ବଦେଶୀ ସମାଧାନ ପାଇଁ ଚିନ୍ତା କରାଗଲା । ପ୍ରାଥମିକ ପର୍ଯ୍ୟାୟରେ ତାମିଲନାଡୁରେ ଏହି ପରୀକ୍ଷଣ କରାଗଲା । ୨୦୨୧–୨୨ ରେ NDMA C-DOT କୁ ସ୍ବଦେଶୀ ପ୍ଲାଟଫର୍ମ ଡିଜାଇନ କରିବା ପାଇଁ ଦାୟିତ୍ବ ଦେଇଥିଲା ।

ଏହି ପ୍ଲାଟଫର୍ମକୁ ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ, INCOIS, DGRE ଓ ଜରୁରୀକାଳୀନ ଆଲର୍ଟ ପଠାଉଥିବା ଅନ୍ୟ ପ୍ରମୁଖ ଏଜେନ୍ସୀ ଗୁଡିକୁ ପରସ୍ପର ସହ ଯୋଡିବା ପାଇଁ ଡିଜାଇନ କରାଯାଇଛି । ଏହି ପ୍ରଣାଳୀରେ API ଇଣ୍ଟିଗ୍ରେସନର ବ୍ୟବହାର କରି ଏଜେନ୍ସୀ ଦ୍ବାରା ଜାରି ଆଲର୍ଟକୁ ବିନା କୌଣସି ମାନବୀୟ ହସ୍ତକ୍ଷେପରେ ପ୍ରାପ୍ତ କରିହେବ । ଏହି ସିଷ୍ଟମ ଏକ AI-ଆଧାରିତ ଇଞ୍ଜିନର ବ୍ୟବହାର କରିଥାଏ । ଏଜେନ୍ସୀରୁ ମିଳୁଥିବା ଆଲର୍ଟକୁ ବାହାର ଡାଟା ସ୍ରୋତ ଯେପରିକି ପାଣିପାଗ ସମ୍ବନ୍ଧୀୟ ସୂଚନା, ବାତ୍ୟାର ପୂର୍ବ ପାର୍ଟନ, ଗୁଗୁଲ ଫିଡସ, ଜିୟୋସ୍ପୋସିଆଲ ଇନପୁଟ ସହ ଯୋଡିଥାଏ । ଏହି ସିଷ୍ଟମ ପ୍ରଭାବିତ ହେବାକୁ ଥିବା ସମ୍ଭାବନା କ୍ଷେତ୍ର ସମ୍ବନ୍ଧରେ ସୂଚନା ଦେଇଥାଏ । ଉଦାହରଣ ସ୍ବରୂପ ଯଦି ଓଡିଶାର ଗୋପାଳପୁରରେ ବାତ୍ୟା ଆଶଙ୍କା ଥାଏ, ତେବେ ଏହି ସିଷ୍ଟମ ସମଗ୍ର ରାଜ୍ୟ ପାଇଁ ଚେତାବନୀ ଜାରି କରିବା ପରିବର୍ତ୍ତେ ସଠିକ ସ୍ଥାନୀୟ ଭୌଗୋଳିକ କ୍ଷେତ୍ରର ସୂଚନା ଦେଇଥାଏ ।

ଏହି ସିଷ୍ଟମ BSNL, MTNL, ଏୟାରଟେଲ, ଜିଓ, ଭୋଡାଫୋନ ଆଇଡିଆ ଭଳି ବଡ ଟେଲିକମ ଅପରେଟରଙ୍କ ସହ ଜଡିତ ରହିଛି । C-DOT ଦ୍ବାରା ନିର୍ମିତ ସଫ୍ଟୱେୟାର ଟେଲିକମ ଅପରେଟରଙ୍କ ଢାଞ୍ଚାରେ ହିଁ ଇନଷ୍ଟଲ କରାଯାଇଥାଏ । ବିପର୍ଯ୍ୟୟର ପତ୍ତା ଲାଗିବା କ୍ଷଣି କେଉଁ ମୋବାଇଲ ଟାୱାର ପ୍ରଭାବିତ ଅଞ୍ଚଳରେ ରହିଛି ତାହା ସଫ୍ଟୱେୟାରରୁ ଜଣା ପଡିଯାଇଥାଏ । ଏହାପରେ ଉକ୍ତ ଟାୱାର ସହ କେଉଁ ଡିଭାଇସ ଜଡିତ ରହିଛି ତାହା ଜଣାପଡିଥାଏ । ଡ. ଉପାଧ୍ୟାୟ କହିଛନ୍ତି ଯେ ମୋବାଇଲ ୟୁଜରଙ୍କ ଗୋପନୀୟତା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ । କାରଣ ଗ୍ରାହକଙ୍କ ଡାଟା ଟେଲିକମ ଅପରେଟରର ସର୍ଭରରେ ରହିଥାଏ ଓ ଏହାକୁ କୌଣସି ପ୍ଲାଟଫର୍ମକୁ ଟ୍ରାନ୍ସଫର କରାଯାଇ ନଥାଏ ।

C-DOT ଅନୁସାରେ ଏହି ଟେକନିକକୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବା ପାଇଁ ବ୍ୟବହାର କରାଯାଏ ନାହିଁ । ୧୪୪ ଧାରା ସମ୍ବନ୍ଧୀୟ ସୂଚନା, ନିରୁଦ୍ଧିଷ୍ଟ ଶିଶୁ, ଚୋରି ଯାନବାହାନ, କେମିକାଲ ଲିକ୍‌, ଆତଙ୍କୀ ଖବର, ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରଣ, ଯୁଦ୍ଧ ସମୟରେ ମିସାଇଲ ଆକ୍ରମଣ ଆଦି ସୂଚନା ଦିଆଯାଇଥାଏ ।

ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଟେଲିମେଟିକ୍ସ (C-DOT)ର ସ୍ଥାପନା ଅଗଷ୍ଟ ୧୯୮୪ରେ ଭାରତ ସରକାରଙ୍କ DoT କୁ ଏକ ସ୍ବାୟତ୍ତ ଟେଲିକମ R&D କେନ୍ଦ୍ର ରୂପେ ସ୍ଥାପନା କରାଯାଇଥିଲା । ଏହା ସୋସାଇଟି ପଞ୍ଜିକରଣ ଅଧିନିୟମ ୧୮୬୦ ଅନୁସାରେ ପଞ୍ଜୀକୃତ ଏକ ସୋସାଇଟି ଅଟେ । ଏହା ବିଜ୍ଞାନ ଓ ପ୍ରଦ୍ୟୋଗିକ ମନ୍ତ୍ରାଳୟର ବୈଜ୍ଞାନିକ ଓ ଉଦ୍ୟୋଗିକ ଅନୁସନ୍ଧାନ ବିଭାଗ (DSIR) ସହ ପଞ୍ଜୀକୃତ ଏକ ସାର୍ବଜନିକ ବିତ୍ତ ଘୋଷିତ ଅନୁସନ୍ଧାନ ସଂସ୍ଥା ଅଟେ ।