CulturalFeaturedLatestNews

୧୧ରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନର ବିରତି ପରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନିଆଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ଆସନ୍ତା ୧୧ ଓ ୧୨ ତାରିଖ, ଦୁଇଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ। ପୂର୍ବରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଏବଂ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ରହିଥିବାରୁ ଠାକୁରଙ୍କ ନୀତିକାନ୍ତିରେ କୌଣସି ସମସ୍ୟା ନ ହେବା ପାଇଁ ଗଣତି ମଣତି ବନ୍ଦ ରଖାଯାଇଥିଲା।

ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଆସନ୍ତା ୧୧ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହେବ। ପରେ ଆଉ କେଉଁ ଦିନ ଗଣତି ମଣତି କରାଯିବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଶ୍ରୀ ପାଢୀ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍ ୧୪ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଯାଏଁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି। ସମସ୍ତ କାର୍ଯ୍ୟ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ କରାଯାଉଛି, ସହିତ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି ମଧ୍ୟ କରାଯାଉଛି। ଗଣତି ମଣତି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି।