EducationFeaturedLatestNews

ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ(ସଂକେତ ଟିଭି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଆଜି (ବୁଧବାର) ୨୦୨୬ ମସିହାର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଜାତୀୟ ପାସ୍ ହାର ୮୫.୨୦ ପ୍ରତିଶତ ରହିଛି, ଯାହା ଗତ ବର୍ଷ ୮୮.୩୯ ପ୍ରତିଶତ ତୁଳନାରେ ୩.୧୯ ପ୍ରତିଶତ କମ୍ ଅଟେ।

ପ୍ରକାଶିତ ଫଳାଫଳ ଅନୁଯାୟୀ, ଭୁବନେଶ୍ୱର ରିଜିଅନ (ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼)ରେ ପାସ୍ ହାର ୮୧.୭୧% ରହିଥିବା ବେଳେ ଓଡ଼ିଶାରେ ମୋଟ୍ ପାସ୍ ହାର ୭୬.୮୧ ପ୍ରତିଶତ ରହିଛି। ଗତବର୍ଷ ରାଜ୍ୟରେ ପାସ୍ ହାର ୭୮.୭୪ ପ୍ରତିଶତ ଥିଲା। ଚଳିତବର୍ଷ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ପାଇଁ ମୋଟ ୧୭,୮୦,୩୬୫ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭,୬୮,୯୬୮ ଜଣ ପରୀକ୍ଷା ଦେଇଥିଲେ। ମୋଟ ୧୫,୦୭,୧୦୯ ଜଣ ପାସ୍ କରିଛନ୍ତି।

ଏଥର ମଧ୍ୟ ପୁଅମାନଙ୍କ ତୁଳନାରେ ଝିଅମାନେ ବାଜିମାତ୍ କରିଛନ୍ତି। ଝିଅମାନଙ୍କ ପାସ୍ ହାର ପୁଅମାନଙ୍କ ତୁଳନାରେ ୬.୭୩% ଅଧିକ ରହିଛି। ଆଞ୍ଚଳିକ ସ୍ତରରେ ତ୍ରିଭେନ୍ଦ୍ରମ ସର୍ବାଧିକ ୯୫.୬୨% ପାସ୍ ହାର ସହ ଶୀର୍ଷରେ ଥିବା ବେଳେ ପ୍ରୟାଗରାଜ ସର୍ବନିମ୍ନ ୭୨.୪୩% ପାସ୍ ହାର ରେକର୍ଡ କରିଛି। ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ (CWSN) ପାସ୍ ହାର ୯୦.୧୬% ରହିଛି।