୨୦ ତାରିଖରେ ଓଡ଼ିଶାରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୦ ତାରିଖରେ ଓଡ଼ିଶାର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ (UCDA) ଏହି ବନ୍ଦ ନେଇ ନିଷ୍ପତି ନେଇଛି।
ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଆସୋସିଏସନ୍ ଏହି ନିଷ୍ପତି ନେଇଛି। ଡ୍ରଗ୍ ଆଣ୍ଡ୍ କସମେଟିକ ନିୟମ ଅନୁଯାୟୀ ଅନଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ।
କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନଲାଇନରେ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ହେଲେ ଆଜି ସ୍ଥିତି ସୁଧୁରିଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରାଯାଇନାହିଁ।
ଏହା ଫଳରେ ୩୦ ହଜାର ସଭ୍ୟଙ୍କ ବ୍ୟବସାୟରେ ବ୍ୟାଘାତ ଘଟୁଛି ଏବଂ ଅଢ଼େଇ ଲକ୍ଷ ପରିବାରର ଚିନ୍ତାର କାରଣ ପାଲଟିଛି।
ଅନେକ ଆପତ୍ତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବାକଥା ନୁହେଁ, ତାହା ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ଆଣି UCDA ଏହି ନିଷ୍ପତି ନେଇଛି।
