ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ଲୁଣ୍ଠନ କରୁଛନ୍ତି ସରକାର
ଭୁବନେଶ୍ୱର (ସଂକେତ ଟିଭି): ଅତ୍ୟାବଶ୍ୟକ ସାମଗ୍ରୀ ସହିତ ପେଟ୍ରୋଲ ଓ ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧିକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)।
ବିଜେଡି କହିଛି ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ ନିଜର ଦୋମୁହାଁ ନୀତିର ପଦାରେ ପଡ଼ିଛନ୍ତି। ଖାଉଟି ଦହଗଞ୍ଜ ହେଉଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସରକାର ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି। ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ “ଲଗାତାର ଭାବରେ ତେଲ ଦର ବଢ଼ି ଚାଲିଛି। ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର ଦ୍ରବ୍ୟର ଦର ବଢ଼ିବାରେ ଲାଗିଛି। ଆମ ଦଳର ସଭାପତି ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କର ଲୋକଙ୍କ ପ୍ରତି ନିଘା ନାହିଁ। ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ତୈଳ କମ୍ପାନୀମାନେ ଲୋକଙ୍କଠାରୁ ଲାଭ କମାଇଥିଲେ। ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୧ ଦିନ ଭିତରେ ଭାରତ ସରକାର ଲଗାତାର ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମର ବୋଝ ଲଦି ଦେଇଛନ୍ତି।”
ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏହି ସମ୍ମିଳନୀରେ କହିଛନ୍ତି ଯେ “ଲଗାତାର ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି। ଯୁଦ୍ଧ ବାହାନାରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଛି। ୫ ରାଜ୍ୟର ନିର୍ବାଚନ ସରିବା ପରେ ଏହି ବୃଦ୍ଧି ଘଟିଛି, ଯାହା ଜନବିରୋଧୀ ନିଷ୍ପତ୍ତି। ସାଧାରଣ ଲୋକଙ୍କ ପକେଟ୍ ଲୁଟାଯାଉଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକଙ୍କ ସ୍ୱର ହୋଇ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଜବାବ ଦିଆଯିବ।”
ବିଜେଡି ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ “ଗତ ୧୧ ଦିନରେ ୪ ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଏପରି ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ଏହାର ପ୍ରଭାବ ଖାଉଟି ବଜାର ଉପରେ ପଡ଼ିଛି। ଡାଲି ଓ ତେଲର ଦର ବଢ଼ିଛି, ଯାହା ଖାଉଟିଙ୍କ ଉପରେ ବୋଝ। ରାଜ୍ୟ ସରକାର ଭ୍ୟାଟ୍ କମାଇବା ଆବଶ୍ୟକ। ଭ୍ୟାଟ୍ ମୁକ୍ତ କରାଯାଉ। ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ରାଜପଥକୁ ଓହ୍ଲାଉଥିଲା। ଆଜି ସେମାନେ ସରକାରରେ ଥାଇ ତାହା ଲାଗୁ ନ କରି ବାରମ୍ବାର ତୈଳ ଦର ବୃଦ୍ଧି କରି ଜନତାଙ୍କ ସହ ବେଇମାନୀ କରୁଛନ୍ତି।”
ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏହି ସମ୍ମିଳନୀରେ କହିଛନ୍ତି ଯେ “ଭାରତର ବନ୍ଧୁ ରାଷ୍ଟ୍ର ଋଷିଆ ଓ ଇରାନ ଅଶୋଧିତ ତୈଳ କମ୍ ମୂଲ୍ୟରେ ଯୋଗାଇବାକୁ ପ୍ରସ୍ତୁତ ଥିବାବେଳେ ଭାରତ ସରକାର କାହିଁକି ସେମାନଙ୍କଠାରୁ ତୈଳ କିଣୁନାହାନ୍ତି? କେଉଁ ଅଦୃଶ୍ୟ ଶକ୍ତିର ଚାପରେ ସରକାର ଭେନେଜୁଏଲା ଓ ଆମେରିକାରୁ ଚଢ଼ା ଦରରେ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ। ବିଗତ ୧୧ ଦିନରେ ଏତେ ଦର ବୃଦ୍ଧି କ’ଣ ଆଚ୍ଛେ ଦିନ? ଆମର କ’ଣ ଦୁର୍ବଳତା ରହିଛି ଯେ ଋଷିଆଠାରୁ ତେଲ କିଣି ପାରୁନାହୁଁ? ଆଗକୁ ଆନ୍ଦୋଳନ ଜୋରଦାର ହେବ।”
