ବିବାହର ସ୍ୱପ୍ନ ଦେଖାଇ ୫ ଲକ୍ଷ ଟଙ୍କା ଠକେଇ, ଅଭିନେତା ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ପ୍ରଥମେ ପ୍ରେମ, ତା’ପରେ ବିବାହର ସ୍ୱପ୍ନ। ଆଉ ଏହି ସମ୍ପର୍କର ଆଢୁଆଳରେ ଲକ୍ଷାଧିକ ଟଙ୍କା ଠକେଇ। ଯେତେବେଳେ ବିବାହ କଥା ଉଠିଲା, ସେତେବେଳେ ପ୍ରେମିକ ଦେଖାଇଲେ ଅସଲ ରୂପ। ୫ ଲକ୍ଷ ଟଙ୍କା ନେଇ ହୋଇଗଲେ ଫେରାର। ଶେଷରେ ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ।
ଅଭିଯୁକ୍ତ ହେଉଛନ୍ତି ରାକେଶ କୁମାର ପାଢ଼ୀ। ରାକେଶ ଜଣେ ପ୍ରଡ୍ୟୁସର, ଆକ୍ଟର ସହ ଜଣେ ବ୍ୟବସାୟୀ ହୋଇଥିବା ତାଙ୍କ ସୋସିଆଲ ମିଡ଼ିଆରେ ସେ ମେନସନ କରିଛନ୍ତି। ରଘୁନାଥପୁର ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ସେ ରହୁଥିବା ବେଳେ ତାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ମୋବାଇଲ ସହ ଦାମୀ ଜିନିଷ ଜବତ ହୋଇଛି।
ଅଭିଯୁକ୍ତ ଘର କଟକ, ସେ ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ରହୁଥିଲା। ପୀଡ଼ିତାଙ୍କ ସହ ଏକ ପାର୍ଟିରେ ଦେଖା ହେବା ପରେ ସମ୍ପର୍କ ବଢ଼ିଥିଲା। ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ମଧ୍ୟ ହୋଇଥିଲା। ଏହି ସୁଯୋଗରେ ବିବାହର ପ୍ରତାରଣା କରି ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୫ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲେ। ଶେଷରେ ପୀଡ଼ିତାଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।
ସୋସିଆଲ ମିଡ଼ିଆରେ ନିଜକୁ ପ୍ରଯୋଜକ, ଅଭିନେତା ଓ ବ୍ୟବସାୟୀ ବୋଲି ପରିଚୟ ଦେଉଥିବା ରାକେଶଙ୍କ ବିରୋଧରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ପୋଲିସ ତଦନ୍ତ ପରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ନଜର।
