ବିଜେପିରେ ସାମିଲ ହେଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ସାଂସଦ ତଥା ବାଲେଶ୍ବର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ରବୀନ୍ଦ୍ର ଜେନା ଆଜି ନିଜ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ତାଙ୍କୁ ଦଳରେ ସାମିଲ କରାଯାଇଛି।
ଏହି ରାଜନୈତିକ ମିଶ୍ରଣକୁ ବଡ଼ ଧରଣର କାର୍ଯ୍ୟକ୍ରମର ରୂପ ଦିଆଯାଇଥିଲା। ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ରବୀନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଅବସରରେ ବାଲେଶ୍ବର ଜିଲ୍ଲାର ଅନେକ ବିଧାୟକ ମଞ୍ଚରେ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। କେବଳ ରବୀନ୍ଦ୍ର ଜେନା ନୁହଁନ୍ତି, ତାଙ୍କ ସହିତ ପଞ୍ଚାୟତ ସ୍ତର, ବ୍ଲକ ସ୍ତର ଏବଂ ଛାତ୍ର ରାଜନୀତିର ସହ ଯୋଡ଼ି ହୋଇଥିବା ଅନେକ ବିଜେଡି ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଅବସରରେ କହିଛନ୍ତି ଯେ, ରବୀନ୍ଦ୍ର ଜେନାଙ୍କ ଆଗମନ ଦ୍ୱାରା ବାଲେଶ୍ବର ଜିଲ୍ଲାରେ ଦଳ ଆହୁରି ଶକ୍ତିଶାଳୀ ହେବ। ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମିଶ୍ରଣ ଦଳର ସଂଗଠନକୁ ମଜଭୁତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
