FeaturedGeneralLatest

ନୋଏଡା ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ମୋଦୀ

ନୋଏଡା (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଗତ ସରକାରଙ୍କୁ ଟାର୍ଗେଟ କରିବା ସହିତ ଭାରତ ଉପରେ ବିଶ୍ୱ ସଙ୍କଟର ପ୍ରଭାବକୁ ଦର୍ଶାଇବାକୁ ପ୍ରୟାସ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିମାନବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶରେ ସଂଯୋଗୀକରଣ ଏବଂ ଅର୍ଥନୈତିକ ସମ୍ଭାବନାକୁ ବୃଦ୍ଧି କରିବ। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଯୋଗୁଁ ଆଗ୍ରା, ମଥୁରା, ଅଲିଗଡ଼, ଗାଜିଆବାଦ, ମିରଟ, ଏତାହ, ବୁଲନ୍ଦସର୍‌ ଓ ଫରିଦାବାଦ ଅଞ୍ଚଳ ଲାଭବାନ ହେବାକୁ ଯାଉଛି। ଏହା କୃଷକ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଯୁବ ବର୍ଗଙ୍କ ପାଇଁ ନୂଆ ସୁଯୋଗ ଆଣିବ। ବିମାନବନ୍ଦରରେ ପ୍ରତି ୨ ମିନିଟରେ ଗୋଟିଏ ବିମାନ ଉଡାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ବିକଶିତ ଉତ୍ତର ପ୍ରଦେଶର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଉତ୍ତର ପ୍ରଦେଶର ଲୋକଙ୍କୁ ଶୁଭେଚ୍ଛା ଓ କୃଷକଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପୂର୍ବ ସରକାରମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେମାନେ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପକୁ ଗଡ଼ାଇ ଚାଲିଥିଲେ ବୋଲି ମୋଦୀ କହିଛନ୍ତି। ୨୦୦୩ରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ନୋଏଡା ବିମାନବନ୍ଦରକୁ କ୍ଲିୟରାନ୍ସ ମିଳିଥିଲା। କିନ୍ତୁ କଂଗ୍ରେସ ଓ ଅନ୍ୟ ରାଜ୍ୟ ସରକାର ଏଠାରେ ଶିଳାନ୍ୟାସ କରିବାକୁ ଦେଇନଥିଲେ। ଫଳରେ ପ୍ରକଳ୍ପ କେବଳ କାଗଜକଲମରେ ରହିଯାଇଥିଲା। ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପକୁ ଗତି ମିଳିଥିଲା। ବିଜେପି ଆସିବା ପରେ ଶିଳାନ୍ୟାସ ହେବା ସହିତ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ଆଜି ଏହାର ଉଦଘାଟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋଦୀ ଏହି ଅବସରରେ ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ବିଶ୍ବରେ ଦେଖାଯାଇଥିବା ତୈଳ ସଙ୍କଟ ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଙ୍କଟର ପ୍ରଭାବ ଆମ କୃଷକଙ୍କ ଉପରେ ପଡ଼ିବାକୁ ଦିଆଯିବ ନାହିଁ। ଭାରତ ଏହି ସମୟରେ ମଧ୍ୟ ନିଜ ବିକାଶ ଯାତ୍ରାକୁ ଅବ୍ୟାହତ ରଖିବ। ବିଶ୍ବରେ ଦେଖାଯାଇଥିବା ଅନିଶ୍ଚିତତାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ମୋଦୀ ତାଙ୍କ ଭାଷଣରେ ସ୍ପଷ୍ଟ କରିଥିଲେ।

ବିମାନବନ୍ଦର ଉଦଘାଟନ ପୂର୍ବରୁ ଭଗବାନ ବୁଦ୍ଧଙ୍କ ଏକ ପବିତ୍ର କଳାକୃତି ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ଦିଆଯାଇଥିଲା। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ ଉତ୍ତର ପ୍ରଦେଶ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ସଂଯୋଗୀକରଣକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହା ସହିତ ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ, ଉପସ୍ଥିତ ଲୋକମାନଙ୍କୁ ମୋଦୀ ମୋବାଇଲ୍ ଫ୍ଲାସଲାଇଟ୍‌ ଅନ୍‌ କରିବାକୁ କହିଥିଲେ ଏବଂ ସେମାନଙ୍କ ଦ୍ବାରା ବିମାନବନ୍ଦର ଉଦଘାଟନ କରାଇଥିଲେ।