ସହରାଞ୍ଚଳରେ ୩ ମାସ ମଧ୍ୟରେ ପିଏନଜି ସଂଯୋଗ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସବୁ ସହରାଞ୍ଚଳକୁ ପାଇପ୍ କୁକିଂ ଗ୍ୟାସ୍ (PNG) ସଂଯୋଗ ଯୋଗାଇ ଦିଆଯିବ। ତୈଳ କମ୍ପାନୀଙ୍କ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଆଗାମୀ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି।
ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତିମାନେ ମଧ୍ୟ PNG ସୁବିଧା ପାଇବେ। ଏହି ନିଷ୍ପତ୍ତି ଫଳରେ ଭଡ଼ାଟିଆ ମାନେ ମଧ୍ୟ ଏହି ସୁବିଧାରୁ ଉପକୃତ ହୋଇପାରିବେ।
ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ। ଗ୍ୟାସ୍ କଳାବଜାରୀ ରୋକିବାକୁ e-KYC ବ୍ୟବସ୍ଥା ଆପଣାଯିବ। e-KYC ସରିଗଲେ କେହି ଅନ୍ୟର ନାଁରେ ଗ୍ୟାସ୍ ନେଇପାରିବେ ନାହିଁ।
ତେବେ ଯେଉଁମାନେ PNG ସଂଯୋଗ ନେଇଛନ୍ତି, ସେମାନଙ୍କୁ LPG ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ PNG ସଂଯୋଗ ପାଇଁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ଯୋଗାଣ ସଚିବ ଓ ତୈଳ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
