ଏଣିକି ଖୋଲା ବଜାରରେ ଆଉ ଗ୍ୟାସ୍ ମିଳିବନି
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ଉପଭୋକ୍ତାଙ୍କୁ ଆଉ ଏକ ଝଟକା ଦେଇ ରାଜ୍ୟ ସରକାର ଗ୍ୟାସ୍ ବିକ୍ରି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଖୋଲା ବଜାରରେ ଆଉ ଗ୍ୟାସ୍ ମିଳିବନି। ସେହିପରି ୫ କେଜି ବାଲା ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି କରାଯାଇପାରିବ ନାହିଁ। ଏନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି। ବିଶେଷକରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ହଠାତ୍ ବୃଦ୍ଧି ପାଇବା ସହ ଗ୍ରାହକମାନେ ଏହା ପାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ପରିପ୍ରେକ୍ଷୀରେ ଯୋଗାଣ ମନ୍ତ୍ରୀ ବଡ଼ ବୟାନ ଦେଇ କହିଛନ୍ତି ଯେ, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏବେ ଆଉ ଖୋଲା ବଜାରରେ ଗ୍ୟାସ୍ ବିକ୍ରି କରାଯାଇପାରିବ ନାହିଁ।
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ରାଜ୍ୟରେ ଏବେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନାହିଁ ତଥା କଳାବଜାର ମଧ୍ୟ ହେଉନାହିଁ। କିନ୍ତୁ ଭବିଷ୍ୟତରେ କଳାବଜାରୀ ଏବଂ ଅସାଧୁ ବ୍ୟବସାୟକୁ ରୋକିବା ପାଇଁ ଗ୍ୟାସ୍ ବିକ୍ରିରେ e-KYC ବାଧ୍ୟତାମୂଳକ କରାଯାଇଛି। କେବଳ ଯାହାର ନାଁରେ କାର୍ଡ ଥିବ, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ୍ ଟାଙ୍କି ନେଇପାରିବେ।
ଏହି ନୂଆ ନିୟମ ଅନୁଯାୟୀ, ଏଣିକି e-KYC ବିନା କୌଣସି ଗ୍ରାହକ ସବସିଡିଯୁକ୍ତ ସିଲିଣ୍ଡର ପାଇବେ ନାହିଁ। ଅନେକ ସମୟରେ ଘରୋଇ ସିଲିଣ୍ଡରକୁ ବାହାରେ ଚୋରା ଦରରେ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ e-KYC ଲାଗୁ କରାଯାଇଛି। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ନାମରେ ଥିବା ଏକାଧିକ ଗ୍ୟାସ୍ କନେକ୍ସନ କିମ୍ବା ମୃତ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ଗ୍ୟାସ୍ ସଂଯୋଗଗୁଡ଼ିକୁ ଚିହ୍ନଟ କରି ବନ୍ଦ କରାଯିବ।
ଯେଉଁମାନେ ପ୍ରକୃତରେ ସବସିଡି ପାଇବାକୁ ଯୋଗ୍ୟ, ସେମାନଙ୍କ ପାଖରେ ସୁବିଧା ପହଞ୍ଚାଇବା ସରକାରଙ୍କ ମୂଖ୍ୟ ଲକ୍ଷ୍ୟ। ଏଥିସହ ବଜାରରେ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ୧ କେଜି ଏବଂ ୫ କେଜି LPG ସିଲିଣ୍ଡର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଛି।
ଗ୍ରାହକମାନେ ତିନୋଟି ସରଳ ଉପାୟରେ ନିଜର e-KYC ପ୍ରକ୍ରିୟା ଶେଷ କରିପାରିବେ:
୧. LPG ବିତରକ ଶୋ’ରୁମ୍ କୁ ଯାଇ ଆଧାର କାର୍ଡ ଏବଂ ମୋବାଇଲ୍ ନମ୍ବର ସାହାଯ୍ୟରେ ବାୟୋମେଟ୍ରିକ୍ କରିପାରିବେ।
୨. www.mylpg.in ୱେବସାଇଟକୁ ଯାଇ ନିଜର ଗ୍ୟାସ୍ କମ୍ପାନୀ ଚୟନ କରି e-KYC କରିପାରିବେ।
୩. ଗ୍ୟାସ୍ କମ୍ପାନୀଗୁଡ଼ିକର ଅଫିସିଆଲ୍ ଆପ୍ ମାଧ୍ୟମରେ ଘରେ ବସି e-KYC କରାଯାଇପାରିବ।
ମନ୍ତ୍ରୀ ଶ୍ରୀ ପାତ୍ର ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ e-KYC ଶେଷ କରାନଯାଏ, ତେବେ ଭବିଷ୍ୟତରେ ଗ୍ରାହକଙ୍କୁ ସିଲିଣ୍ଡର ବୁକିଂ କରିବାରେ ଅସୁବିଧା ହୋଇପାରେ କିମ୍ବା ସେମାନଙ୍କ ଗ୍ୟାସ୍ ସବସିଡି ବନ୍ଦ ହୋଇପାରେ।
