ରାଜ୍ୟ ସରକାରଙ୍କ ୟୁ ଟର୍ଣ୍ଣ, କହିଲେ ଖୋଲାବଜାରରେ ମିଳିବ ୫ କେଜି ଗ୍ୟାସ୍
ଭୁବନେଶ୍ୱର (ସଂକେତ ଟିଭି): ୫ କେଜି ଫ୍ରି ଟ୍ରେଡିଂ ଏଲପିଜି (ଏଫଟିଏଲ) ଗ୍ୟାସ୍ ବିକ୍ରିକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଛେଦ ପଡ଼ିଛି। ଉପଭୋକ୍ତାମାନେ ଏଣିକି ନିଜର ପରିଚୟପତ୍ର ଦେଖାଇଲେ ୫ କେଜିଆ ଗ୍ୟାସ୍ ପାଇ ପାରିବେ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା ସ୍ପଷ୍ଟ କରିଛନ୍ତି।
ଗତକାଲି (ରବିବାର) ଯୋଗାଣ ମନ୍ତ୍ରୀ କହିଥିଲେ ଯେ ୫ କେଜି ଗ୍ୟାସ୍ ଆଉ ମିଳିବ ନାହିଁ। ହେଲେ ଆଜି (ସୋମବାର) ଏକ ପ୍ରେସ୍ ରିଲିଜ୍ ଜାରି କରି ସେ କହିଛନ୍ତି ଯେ, ନିଜର ପରିଚୟପତ୍ର ଦେଖାଇ ଲୋକେ ଏହା ନେଇପାରିବେ।
ସରକାର ଗ୍ୟାସ୍ କଳାବଜାରୀ ବନ୍ଦ କରିବାକୁ ୫ କେଜି ଗ୍ୟାସ୍ ବିତରଣ ଉପରେ କଟକଣା ଲଗାଇଥିଲେ। ଏହାକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ଦେଖା ଦେଇଥିଲା। ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଗତକାଲି କହିଥିଲେ, “ଖୋଲା ବଜାରରେ ଗ୍ୟାସ୍ ବିକ୍ରି ହେବନାହିଁ, ଏହା ବେଆଇନ। କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ। ୫ ଲିଟର ଗ୍ୟାସ୍ ସମ୍ପୂର୍ଣ୍ଣ ବନ୍ଦ।”
ମନ୍ତ୍ରୀ ଆହୁରି କହିଥିଲେ, “ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁମାନେ ୫ ଲିଟର ଗ୍ୟାସ୍ ବ୍ୟବହାର କରୁଛନ୍ତି, ସେମାନଙ୍କ କଥା ସରକାର ଚିନ୍ତା କରୁଛନ୍ତି। ପେଟ୍ରୋଲ ଓ ଡିଜେଲ କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ। ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନରେ ଗ୍ୟାସ୍ ବୁକ୍ କରିପାରିବେ। କଳାବଜାରୀ ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ନଜର ରହିଛି।”
ଆଜି ଯୋଗାଣ ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି: କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି। ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ୫ କେଜିର ଗ୍ୟାସ୍ ମିଳିବ। ସେମାନେ ନିଜର ପରିଚୟପତ୍ର ଦେଖାଇ ୫ କେଜି ଏଫଟିଏଲ୍ ଭରି ପାରିବେ। ଏହା କେବଳ ଗ୍ୟାସ୍ କମ୍ପାନୀଗୁଡ଼ିକ ଯୋଗାଇ ଦେବେ, ବାହାରେ କଳାବଜାରରେ ବିକ୍ରି ହୋଇପାରିବ ନାହିଁ। ପୂର୍ବରୁ ୫ କେଜିଆ ସିଲିଣ୍ଡର ନେଇଥିବା ଲୋକଙ୍କର ମଧ୍ୟ କୌଣସି ସମସ୍ୟା ହେବ ନାହିଁ।
ଖାଦ୍ୟ ଯୋଗାଣ ବିଭାଗର ସ୍ପଷ୍ଟୀକରଣ: ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ୫ କେଜି ସିଲିଣ୍ଡର ଭରି ପାରିବେ। ତୈଳ ମାର୍କେଟିଂ କମ୍ପାନୀଦ୍ୱାରା ବିକ୍ରି ହେଉଥିବା ୫ କେଜି ଗ୍ୟାସ୍ ସେମାନେ କିଣିପାରିବେ। ଏଥିପାଇଁ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ। e-KYC ହୋଇଥିଲେ ମଧ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ବେଆଇନ୍ ଭାବେ ଗଚ୍ଛିତ ରଖୁଥିବା ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢ଼ାଉ ଜାରି ରହିବ।
ମନ୍ତ୍ରୀଙ୍କ ସୂଚନା ପରେ ଉପଭୋକ୍ତା, ବିଶେଷକରି ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ ଆଶ୍ୱସ୍ତ ହୋଇଛନ୍ତି। ୪ ଦିନ ପୂର୍ବରୁ ରାଜ୍ୟରେ LPG ବନ୍ଦ ହୋଇ PNG ମିଳିବ ବୋଲି ସୂଚନା ଦିଆଯାଇଥିଲା, କିନ୍ତୁ ଏବେ ୫ କେଜି ଗ୍ୟାସ୍ ଉପରେ ଲାଗିଥିବା କଟକଣା କେବଳ ଅବୈଧ ବିକ୍ରି ପାଇଁ ବୋଲି ସ୍ପଷ୍ଟ ହୋଇଛି।
